ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ବୈଠକ: ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଆତଙ୍କବାଦୀଙ୍କ ଟୁଲ୍‌କିଟ

ଏସିଆ, ଆଫ୍ରିକାରେ ଆତଙ୍କବାଦ ବିପଦ ବଢ଼ୁଛି:ଜୟଶଙ୍କର, ଅଧ ନିୟୁତ ଡଲାର ସହାୟତା ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ବିଶ୍ବରେ, ବିଶେଷକରି ଏସିଆ ଓ ଆଫ୍ରିକାରେ ଆତଙ୍କବାଦଜନିତ ବିପଦ ବଢ଼ୁଛି। ମାନବ ସମାଜ ପ୍ରତି ସବୁଠୁ ଗମ୍ଭୀର ଏହି ବିପଦକୁ ରୋକିବା ପାଇଁ ସର୍ବୋତ୍କୃଷ୍ଟ ଉଦ୍ୟମ କରାଯାଉଥିଲେ ମଧ୍ୟ ଏହି ବିପଦ ବଢ଼ିଚାଲିଛି । ନୂଆଦିଲ୍ଲୀରେ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ କମିଟିର ସ୍ବତନ୍ତ୍ର ବୈଠକରେ ଉଦ‌୍‌ବୋଧନ ଦେଇ ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜୟଶଙ୍କର କହିଛନ୍ତି, ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଗତ ଦୁଇ ଦଶନ୍ଧି ମଧ୍ୟରେ ଅନେକ ଉତ୍ତମ ବ୍ୟବସ୍ଥା ବିକଶିତ କରିଛି। ଏହାସତ୍ତ୍ବେ ଆତଙ୍କବାଦଜନିତ ବିପଦ ବଢ଼ୁଛି ଏବଂ ପ୍ରସାରିତ ହେଉଛି।

ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧ କମିଟିର ଦୁଇଦିନିଆ ସ୍ବତନ୍ତ୍ର ବୈଠକ ଭାରତ ପକ୍ଷରୁ ଆୟୋଜନ କରାଯାଇଛି। ଦିଲ୍ଲୀରେ ସଦସ୍ୟ ଦେଶମାନେ ଏହି ବୈଠକରେ ଯୋଗଦେବା ଏହା ସୂଚାଉଛି ଯେ ସେମାନେ ଆତଙ୍କବାଦର ଏହି ଗୁରୁତ୍ବପୂର୍ଣ୍ଣ ଦିଗକୁ କେତେ ଗୁରୁତ୍ବ ଦେଉଛନ୍ତି। ବିଶ୍ବରେ ବିକଶିତ ହୋଇଥିବା ନୂଆ ପ୍ରଯୁକ୍ତି ଯଥା ଭର୍ଚୁଆଲ ପ୍ରାଇଭେଟ ନେଟୱର୍କ, ଏନକ୍ରିପ୍ଟେଡ ମେସେଜ ସର୍ଭିସ ଏବଂ ବ୍ଲକଚେନ ଆଦି ସରକାରଙ୍କ ପ୍ରତି ନୂଆ ଆହ୍ବାନ ସୃଷ୍ଟି କରିଛି। କାରଣ ଆତଙ୍କବାଦୀ ଗୋଷ୍ଠୀର ସଦସ୍ୟଙ୍କ ଦ୍ବାରା ଏହାର ଅପବ୍ୟବହାର ଆଶଙ୍କା ରହିଛି। ପ୍ରଯୁକ୍ତିକୁ ବ୍ୟବହାର କରି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଏବେ ସେମାନଙ୍କ ଶକ୍ତି ବଢ଼ାଇବାରେ ଲାଗିଛନ୍ତି। ପ୍ରଯୁକ୍ତି, ଅର୍ଥ ଏବଂ ମୁକ୍ତ ସମାଜର ଭାବନାକୁ ଦୁରୁପଯୋଗ କରି ସେମାନେ ସ୍ବାଧୀନତା, ସହନଶୀଳତା ଏବଂ ପ୍ରଗତି ଉପରେ ଆକ୍ରମଣ କରି ଚାଲିଛନ୍ତି। ପୁନଶ୍ଚ ଆତଙ୍କବାଦୀ ଗୋଷ୍ଠୀମାନେ ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ଭଳି ପ୍ଲାଟଫର୍ମକୁ ଟୁଲ୍‌କିଲ ଭଳି ବ୍ୟବହାର କରି ସମାଜରେ ସେମାନଙ୍କ ଚିନ୍ତାଧାରାର ପ୍ରଚାର ପ୍ରସାର କରୁଛନ୍ତି। ସମାଜରେ ଅସ୍ଥିରତା ସୃଷ୍ଟି ପାଇଁ ସେମାନେ ଏହା ଜରିଆରେ ସୁବିଧା ପାଉଛନ୍ତି।

ଏହାବ୍ୟତୀତ ଅନ୍ୟ ଏକ ସମସ୍ୟା ହେ‌ଲା ମାନବବିହୀନ ବୈମାନିକ ବ୍ୟବସ୍ଥାକୁ ଆତଙ୍କବାଦୀ ଏବଂ ସଂଗଠିତ ଅପରାଧୀମାନେ ବ୍ୟବହାର କରୁଛନ୍ତି ବୋଲି ଜୟଶଙ୍କର କହିଛନ୍ତି। ଶେଷରେ ଜୟଶଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ଆଜିର ବୈଠକରେ କରିଛନ୍ତି। ଜାତିସଂଘର ଆତଙ୍କବାଦ ନିରୋଧୀ ପାଣ୍ଠି ଟ୍ରଷ୍ଟ ପାଇଁ ଭାରତ ଚଳିତବର୍ଷ ନିଜଆଡ଼ୁ ଅଧ ନିୟୁତ ଡଲାରର ସହାୟତା ପ୍ରଦାନ କରିବ। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ସଦସ୍ୟ ଦେଶଗୁଡ଼ିକର ଦକ୍ଷତା ବିକାଶ ପାଇଁ ଜାତିସଂଘ ଆତଙ୍କବାଦ ନିରୋଧୀ କାର୍ଯ୍ୟାଳୟ (ୟୁଏନଓସିଟି) କରୁଥିବା ଉଦ୍ୟମ ଲାଗି ଉକ୍ତ ପାଣ୍ଠି ବିନିଯୋଗ ହେବ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧିତ ଖବର