ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ କମିଟି ବୈଠକରେ ଆଜି ଚୀନକୁ କଡ଼ା ବାର୍ତ୍ତା ଦେଇଛି ଆମେରିକା। ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ ଏହି ବୈଠକରେ ଯୋଗଦେଇ କହିଛନ୍ତି ଆତଙ୍କବାଦୀ ଘୋଷଣା ପାଇଁ ଗ୍ରହଣ କରାଯାଉଥିବା ସଂକଳ୍ପନାମାକୁ ସବୁ ସଦସ୍ୟ ଦେଶ ସମର୍ଥନ କରିବା ଆବଶ୍ୟକ। କୌଣସି ଦେଶ ଏଥିପାଇଁ ପ୍ରତିବନ୍ଧକ ହେବା ଉଚିତ ନୁହେଁ। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ତାଲିକାରେ ଆତଙ୍କବାଦୀ ଘୋଷଣା ପାଇଁ ସଂକଳ୍ପନାମାକୁ ସଦସ୍ୟ ଦେଶଗୁଡ଼ିକ ସମର୍ଥନ କରିବା ଆବଶ୍ୟକ।
ଉଲ୍ଲେଖଯୋଗ୍ୟ, ୧୯୯୯ରେ ଜାତିସଂଘ ସୁରକ୍ଷା ପରିଷଦ ଦ୍ବାରା ଗଠିତ କମିଟି ପକ୍ଷରୁ ୧୨୬୭ ତାଲିକା ରଖାଯାଉଛି। ଅଲ୍ କାଏଦା କିମ୍ବା ଆଇଏସଆଇଏସ ସହ ଅନୁବନ୍ଧିତ କୌଣସି ଆତଙ୍କବାଦୀ ଗୋଷ୍ଠୀକୁ ଏହି ତାଲିକାରେ ସାମିଲ କରିବା ନିମନ୍ତେ ଉକ୍ତ କମିଟି ଜାତିସଂଘର ସଦସ୍ୟ ଦେଶଗୁଡ଼ିକୁ ଅଧିକାର ପ୍ରଦାନ କରିଛି। ତେଣୁ ଆଜି ଆମେରିକାର ବିଦେଶ ସଚିବ ବ୍ଲିଙ୍କେନଙ୍କ ମନ୍ତବ୍ୟର ନିଶାଣରେ ଚୀନ ରହିଥିଲା। ପାକିସ୍ତାନଭିତ୍ତିକ ଆତଙ୍କବାଦୀ ତଥା ଲସ୍କର-ଏ-ତୋଇବା ମୁଖ୍ୟ ହାଫିଜ ସୟିଦର ପୁଅ ହାଫିଜ ତଲାହ ସୟିଦକୁ କଳାତାଲିକାଭୁକ୍ତ କରିବା ପାଇଁ ନିକଟରେ ଆମେରିକା ଓ ଭାରତ ଦେଇଥିବା ପ୍ରସ୍ତାବକୁ ଚୀନ ଅଟକାଇଥିଲା। ତେଣୁ ବ୍ଲିଙ୍କେନ ଯଦିଓ ଚୀନର ନାମ ନେଇ ନଥିଲେ ତଥାପି ତାଙ୍କର ମନ୍ତବ୍ୟର ଟାର୍ଗେଟରେ ଏହି ଦେଶ ରହିଥିବା କୁହାଯାଉଛି।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଭୟାବହତା ସଂପର୍କରେ ବ୍ଳିଙ୍କେନ ସ୍ମରଣ କରି କହିଛନ୍ତି, ଏଥିରେ ଯେଉଁସବୁ ଦେଶର ନାଗରିକଙ୍କ ମୃତ୍ୟୁ ହୋଇଥିଲା ସେଥିରେ ଆମେରିକାର ୬ଜଣ ନାଗରିକ ରହିଥିଲେ। ଆତଙ୍କବାଦୀ ଆକ୍ରମଣରେ ଭାରତ ସମେତ ଅନ୍ୟ ଯେଉଁ ଦେଶର ନାଗରିକ ପ୍ରାଣ ହରାଇଥିଲେ ଆମେରିକା ସେସବୁ ଦେଶ ସହିତ ରହିଛି। ତେବେ ଶୋକ ବ୍ୟକ୍ତ କରିବା ଛଡ଼ା ଏ ନେଇ ଅଧିକ କିଛି କରାଯିବାର ଆବଶ୍ୟକତା ରହିଛି। ମୁମ୍ବାଇ ଆକ୍ରମଣକାରୀ ଏବଂ ତାହାର ମାଷ୍ଟରମାଇଣ୍ଡ ଯେଉଁଠି ବି ଥାଆନ୍ତୁ ସେମାନଙ୍କୁ ନ୍ୟାୟ ପରିସରଭୁକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ବ୍ଲିଙ୍କେନ କହିଛନ୍ତି। ଏଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଭାରତ ଏବଂ ଅନ୍ୟ ସହଯୋଗୀଙ୍କ ସହିତ ମିଶି ଗତ ୧୪ ବର୍ଷ ହେଲା କାର୍ଯ୍ୟ କରିଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/54sfh564fs65f4h65fh.jpg)