ନୂଆଦିଲ୍ଲୀ : ଆସନ୍ତା ୧୭ ତାରିଖରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖାଲିଥିବା ୫ଟି ଅସ୍ଥାୟୀ ଆସନ ପାଇଁ ନିର୍ବାଚନ ହେବ । ଚଳିତ ମାସରେ ଫ୍ରାନ୍ସ ନିରାପତ୍ତା ପରିଷଦର ସଭାପତି ଥିବାରୁ ଫ୍ରାନ୍ସ ଅଧ୍ୟକ୍ଷତାରେ ଏହି ନିର୍ବାଚନ ହେବ ।

Advertisment

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ଏହି ନିର୍ବାଚନରେ ବିଜୟୀ ହୋଇ ଗୋଟିଏ ଅସ୍ଥାୟୀ ଆସନ ଅକ୍ତିଆର କରିବା ଏକରକମ ନିଶ୍ଚିତ ଜଣାପଡ଼ୁଛି । କାରଣ ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଂଚଳ ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଛି । ଏହି ଆସନରୁ ଭାରତ ଛିଡ଼ା ହୋଇଥିବାବେଳେ ଅନ୍ୟ କୌଣସି ଦେଶ ଭାରତ ବିପକ୍ଷରେ ପ୍ରାର୍ଥୀ ହୋଇନାହାନ୍ତି । ଏଣୁ ଭାରତ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବାର ସମ୍ଭାବନା ଉଜ୍ଜଳ ରହିଛି । ଆଶ୍ଚର୍ଯ କଥା ହେଉଛି ଭାରତର ସଦସ୍ୟତାକୁ ଏସୀୟ-ପ୍ରଶାନ୍ତମହାସାରୀୟ ଅଂଚଳର ୫୫ଟି ଦେଶ ଏପରିକି ଚୀନ ଓ ପାକିସ୍ତାନ ମଧ୍ୟ ସମର୍ଥନ କରିଛନ୍ତି ।

ମିଳିତ ଜାତିସଂଘର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଂଗ ହେଉଛି ନିରାପତ୍ତା ପରିଷଦ ବା ସୁରକ୍ଷା ପରିଷଦ । ଏହି ପରିଷଦରେ ମୋଟ ୧୫ ଟି ଦେଶ ସଦସ୍ୟ ରହିଥାନ୍ତି । ଏହା ମଧ୍ୟରୁ ୫ଟି ସ୍ଥାୟୀ ସଦସ୍ୟ ଓ ଅନ୍ୟ ୧୦ଟି ଅସ୍ଥାୟୀ  ସଦସ୍ୟ ରାଷ୍ଟ୍ର । ସ୍ଥାୟୀ  ସଦସ୍ୟମାନେ ହେଲେ ଆମେରିକା, ଋଷିଆ, ଚୀନ, ଫ୍ରାନ୍ସ ଓ ବ୍ରିଟେନ । ତେବେ ଅସ୍ଥାୟୀ ୧୦ଟି ଆସନ ମଧ୍ୟରୁ ୫ଟି ଏବେ ଖାଲି ରହିଛି । ଏହି ୫ଟି ଆସନ ପାଇଁ ହିଁ ନିର୍ବାଚନ ହେଉଛି । ନିର୍ବାଚିତ ହେବା ପରେ ଭାରତ ୨୦୨୧-୨୨ ପାଇଁ ଅସ୍ଥାୟୀ  ସଦସ୍ୟ ରହିବ ।