ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବିତର୍କକୁ ସମ୍ବୋଧିତ କରିବେ ନାହିଁ। ଏହା ବଦଳରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସେପ୍ଟେମ୍ବର ୨୭ରେ ଭାରତର ପ୍ରତିନିଧିତ୍ବ କରିବେ ବୋଲି ଶୁକ୍ରବାର ଜାରି ସଂଶୋଧିତ ବକ୍ତା ତାଲିକାରେ କୁହାଯାଇଛି। ଇସ୍ରାଏଲ, ଚୀନ୍, ପାକିସ୍ତାନ ଓ ବାଂଲାଦେଶ ସରକାରର ମୁଖ୍ୟମାନେ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ଥିବାବେଳେ ଜୁଲାଇରେ ପ୍ରକାଶିତ ଏକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୬ରେ ଭାଷଣ ଦେବାର ଥିଲା। ସେପ୍ଟେମ୍ବର ୨୩ରୁ ୨୯ ପର୍ଯ୍ୟନ୍ତ ସାଧାରଣ ବିତର୍କ ଚାଲିବ, ଯେଉଁଥିରେ ବ୍ରାଜିଲ ପ୍ରଥମେ ଭାଷଣ ଦେବ ଏବଂ ତା’ପରେ ଆମେରିକା।
ଭାରତର ପ୍ରତିନିଧିତ୍ୱ କରିବେ ଏସ୍ ଜୟଶଙ୍କର
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସ୍କୁ ଫେରିବା ପରେ ପ୍ରଥମ ଥର ପାଇଁ ୟୁଏନ୍ଜିଏରେ ଯୋଗ ଦେବା ଅବସରରେ ସେପ୍ଟେମ୍ବର ୨୩ରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବେ। ୟୁକ୍ରେନ ଯୁଦ୍ଧ ସମୟରେ ରୁଷ୍ରୁ ଭାରତର ତୈଳ ଆମଦାନିକୁ ସର୍ବସାଧାରଣରେ ସମାଲୋଚନା କରିବା ପରେ ଆଗାମୀ ଦିନରେ ଟ୍ରମ୍ପଙ୍କ ଭାଷଣ ଉପରେ ନଜର ରହିବ। ସମାଲୋଚନା ସତ୍ତ୍ୱେ ଆଜି ଟ୍ରମ୍ପ ମୋଦୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମୀକରଣ ଉପରେ ଗୁରୁତ୍ୱାରୋପ କରି ତାଙ୍କୁ ଜଣେ ମହାନ ପ୍ରଧାନମନ୍ତ୍ରୀ ବୋଲି କହିବା ସହ ଦୁଇ ନେତା ସର୍ବଦା ବନ୍ଧୁ ରହିବେ ବୋଲି କହିବା ବେଶ୍ ଗୁରୁତ୍ବପୂର୍ଣ୍ଣ। ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ୟୁଏନ୍ଜିଏର ୮୦ତମ ଅଧିବେଶନ ଇସ୍ରାଏଲ-ହମାସ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଉତ୍ତମ ସହାବସ୍ଥାନ: ଶାନ୍ତି, ବିକାଶ ଓ ମାନବିକ ଅଧିକାର ପାଇଁ ୮୦ ବର୍ଷ ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/hfsshffhshf-2025-09-07-02-26-38.jpg)