ସତର୍କ କରାଇଲେ ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି: ଭୁଶୁଡ଼ି ପଡ଼ିବ ଆଫଗାନିସ୍ତାନ ଅର୍ଥନୀତି

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଆମେରିକା ସମର୍ଥିତ ସରକାରର ପତନ ଘଟିଛି। ତାଲିବାନମାନେ ଶାସନର ମଙ୍ଗ ଧରିବାକୁ ଯାଉଛନ୍ତି। ଏ ନେଇ ପ୍ରସ୍ତୁତି ଚାଲିଛି। ତେବେ ଆମେରିକା ସମର୍ଥିତ ସରକାରର ପତନ ପରେ ଆଫଗାନିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡ଼ିବା ପରିସ୍ଥିତିକୁ ଚାଲିଆସିଛି। କେବଳ ଅର୍ଥନୀତି ନୁହେଁ ସାମାଜିକ ଶୃଙ୍ଖଳ ମଧ୍ୟ ପୂରାପୂରି ଖରାପ ହୋଇଯାଇଛି। ଆଫଗାନିସ୍ତାନ ଅର୍ଥନୀତିକୁ ତୁରନ୍ତ ସହାୟତା ଯୋଗାଇ ଦିଆ ନ‌ଗଲେ ଏଠାକାର କୋଟି କୋଟି ଲୋକ ଦାରିଦ୍ର୍ୟ ଏବଂ କ୍ଷୁଧା ମଧ୍ୟକୁ ଠେଲି ହୋଇଯିବେ। ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଦେବୋରା ଲିୟନ୍ସ ଏଭଳି ସତର୍କ ବାଣୀ ଶୁଣାଇଛନ୍ତି।

ଆଫଗାନିସ୍ତାନ ଅର୍ଥନୀତିକୁ ଭୁଶୁଡ଼ି ପଡ଼ିବାରୁ ରକ୍ଷା କରିବାକୁ ହେଲେ ସମଗ୍ର ବିଶ୍ବ ଆଗେଇ ଆସିବା ଉଚିତ। ଏଥିସହିତ ପଡ଼ୋଶୀ ଦେଶଗୁଡ଼ିକ ପ୍ରତି ତାଲିବାନ ସରକାର ଠାରୁ ଯେଉଁ ଭୟ ରହିଛି ତାହାକୁ ମଧ୍ୟ ବିଶ୍ବ ସମୁଦାୟ ଦୂର କରିବା ଆବଶ୍ୟକ। ଆଫଗାନିସ୍ତାନରେ ଦେଖାଦେଇଥିବା ମାନବିକ ସଂକଟର ସମାଧାନ ତୁରନ୍ତ କରାଯିବା ଆବଶ୍ୟକ। ଆଫଗାନିସ୍ତାନର ଅନେକ ସଂପତ୍ତିକୁ ଅଚଳ କରି ଦିଆଯାଇଥିବାରୁ ଅର୍ଥନୀତି ରସାତଳକୁ ଏବଂ ଦେଶ ବହୁବର୍ଷ ପଛକୁ ଚାଲିଯିବ। ଅର୍ଥନୀତିକୁ ସଜାଡ଼ିବା ପାଇଁ ‌ଆଉ କିଛି ସମୟ ଲାଗିବ। ଏଥିପାଇଁ ତାଲିବାନଙ୍କୁ ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ସୁରକ୍ଷା ପରିଷଦରେ ଲିୟନ୍ସ କହିଛନ୍ତି। ତାଙ୍କ ମତରେ ଆଫଗାନିସ୍ତାନକୁ ବଡ଼ ମାତ୍ରାର ମାନବିକ ସହାୟତା ଯୋଗାଇ ଦିଆଯିବା ଉଚିତ। ଯଥାଶୀଘ୍ର ଆଫଗାନିସ୍ତାନକୁ ଅର୍ଥ ପ୍ରବାହ ଆରମ୍ଭର ଆବଶ୍ୟକତା ରହିଛି। ଏହାହେଲେ ଆଫଗାନିସ୍ତାନର ଅର୍ଥନୀତି ଏବଂ ସାମାଜିକ ଶୃଙ୍ଖଳା ଭୁଶୁଡ଼ିବାରୁ ରକ୍ଷା ପାଇଯିବ। ତେବେ ପ୍ରଦାନ କରାଯାଉଥିବା ଅର୍ଥକୁ ତାଲିବାନ କର୍ତ୍ତୃପକ୍ଷ ଯେଭଳି ଅପବ୍ୟବହାର ନକରନ୍ତି ତାହା ଉପରେ କଡ଼ା ନଜର ରଖାଯିବାର ଆବଶ୍ୟକତା ରହିଛି। ଆମେରିକା ସମର୍ଥନରେ ଆଫଗାନିସ୍ତାନରେ ଚାଲିଥିବା ସରକାର ଭୁଶୁଡ଼ି ପଡ଼ିବା ଫଳରେ ଆଫଗାନିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କର ୯ ବିଲିଅନ ଡଲାର ରାଶିକୁ ଅଚଳ କରି ଦିଆଯାଇଛି। ଏଥିରୁ ଅଧିକାଂଶ ରାଶି ଆମେରିକା ନିକଟରେ ରହିଛି। ବିଦେଶରୁ ଅର୍ଥ ସଂଗ୍ରହ ନେଇ ରହିଥିବା କଟକଣାକୁ ମଧ୍ୟ କୋହଳ କରାଯିବ ନାହିଁ ବୋଲି ଆମେରିକାର ଟ୍ରେଜେରି ବିଭାଗ କହିଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ଆଫଗାନିସ୍ତାନ ଗତମାସ ୨୩ ତାରିଖରେ ପ୍ରାୟ ୪୫୦ ନିୟୁତ ଡଲାର ପାଇବାର ଥିଲା। କିନ୍ତୁ ସରକାର ଗଠନରେ କୌଣସି ସ୍ପଷ୍ଟତା ନମିଳିବା ଫଳରେ ଆଇଏମଏଫ ସେହି ଟଙ୍କା ପ୍ରଦାନକୁ ଅଟକାଇ ଦେଇଥିଲା।

ସମ୍ବନ୍ଧିତ ଖବର