ଜାତିସଂଘର ଚେତାବନୀ: ୨୦୩୦ ସୁଦ୍ଧା ଉତ୍ତାପ ବୃଦ୍ଧି ସୀମା ଟପିବ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ଆଜିଯାଏ ଯେତେ ପଦକ୍ଷେପ ନିଆଯାଇଛି ବା ଯାହା ନେବା ପାଇଁ ଯୋଜନା କରାଯାଇଛି, ତାହା ଯଥେଷ୍ଟ ନୁହେଁ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ତେଣୁ ୨୦୩୦ ସୁଦ୍ଧା ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରି ସେଲସିୟସ (୧୮୫୦ରୁ ୧୯୦୦ ସ୍ତର) ଭିତରେ ସୀମିତ ରଖିବା ସମ୍ଭବ ହେବ ନାହିଁ ବୋଲି ଜାତିସଂଘର ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ କମିଟି (ଆଇପିସିସି) ପକ୍ଷରୁ ସୋମବାର ପ୍ରକାଶିତ ଏହାର ରିପୋର୍ଟରେ କୁହାଯାଇଛି।

ଯେକୌଣସି ଗୋଟିଏ ବର୍ଷ ଭିତରେ ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରି ସୀମା ଟପିଯିବାର ୫୦:୫୦ ସମ୍ଭାବନା ଥିବା ବେଳେ ଆଇପିସିସିର ପୂର୍ବାନୁମାନ ଅନୁସାରେ ଆଗାମୀ ଦୁଇ ଦଶନ୍ଧି ଭିତରେ ତାପମାତ୍ରା ପ୍ରାକ୍-ଶିଳ୍ପବିପ୍ଳବ (୧୮୫୦-୧୯୦୦) ସ୍ତର ତୁଳନାରେ ୧.୫ ଡିଗ୍ରି ନିଶ୍ଚୟ ଟପିଯିବ। ସେପରି ହେଲେ ସାରା ବିଶ୍ବରେ ଚରମ ଜଳବାୟୁ-ଜନିତ ପ୍ରଳୟ ଘୋଟିବ। ମେରୁ ବରଫ ତରଳିବା କାରଣରୁ ସମୁଦ୍ର ସ୍ତର ବୃଦ୍ଧି ପାଇବ। ପୃଥିବୀରେ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବ। ପୃଥିବୀକୁ ଜଳବାୟୁ ପରିବର୍ତ୍ତନ-ଜନିତ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ୨୦୫୦ ସୁଦ୍ଧା ‘ନେଟ୍ ଜିରୋ’ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ହାର ହ୍ରାସ କରି ୨୦୧୯ ସ୍ତର ଭିତରେ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଧୀରେ ଧୀରେ କୋଇଲା ବ୍ୟବହାର ହ୍ରାସ କରି ୨୦୪୦ ସୁଦ୍ଧା ଏହାର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଜାତିସଂଘ ମହାସଚିବ ସମସ୍ତଙ୍କୁ ଭାରତର ମସ୍ତିଷ୍କ-ପ୍ରସୂତ ମିସନ ଲାଇଫ୍‌ (ଲାଇଫ୍‌ଷ୍ଟାଇଲ୍‌ ଫର୍ ଏନ୍‌ଭିରନମେଣ୍ଟ)ର ଅନୁପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି, ଯେଉଁ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ପ୍ରସ୍ତାବ ଦେଇଥିଲେ।

ଗୁଟେରସ କହିଛନ୍ତି, ୨୦୫୦ ନୁହେଁ, ୨୦୪୦ ସୁଦ୍ଧା ‘ନେଟ୍ ଜିରୋ’ ହାସଲ ପାଇଁ ବିକଶିତ ଦେଶଗୁଡ଼ିକ ପ୍ରତିବଦ୍ଧତା ପ୍ରକାଶ କରିବା ଆବଶ୍ୟକ। ସେହିପରି ଭାରତ ସମେତ ବିକାଶଶୀଳ ଦେଶଗୁଡ଼ିକ ଏହି ଲକ୍ଷ୍ୟ ୨୦୫୦ ସୁଦ୍ଧା ହାସଲ କରିବା ପାଇଁ ପ୍ରତିବଦ୍ଧ ହେବା ଉଚିତ। ଭାରତ ୨୦୭୦ ସୁଦ୍ଧା ‘ନେଟ୍ ଜିରୋ’ ହାସଲ କରିବା ପାଇଁ ପ୍ରତିଶ୍ରୁତି ଦେଇଛି।

ସମ୍ବନ୍ଧିତ ଖବର