ଜାତିସଂଘ: ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବୁଧବାର କହିଛନ୍ତି ଯେ, ଯଦି ବିଶ୍ୱନେତାମାନେ ବର୍ତ୍ତମାନ ପଦକ୍ଷେପ ନ ନିଅନ୍ତି ତେବେ ବିଶ୍ୱ ୨.୮ ଡିଗ୍ର ସେଲସିୟସ୍ ତାପମାତ୍ରା ବୃଦ୍ଧି ଆଡ଼କୁ ଗତି କରିବ। ଏହି ସମ୍ମିଳନୀରେ ପ୍ରମୁଖ ଅଙ୍ଗାରକାମ୍ଳ ନିର୍ଗମନକାରୀ ରାଷ୍ଟ୍ର ଆମେରିକା, ଚୀନ୍ ଓ ଭାରତ ଅନୁପସ୍ଥିତ ଥିଲେ।

Advertisment

ଗୁଟେରସ୍ କହିଥିଲେ, ଏଠାରେ ଆମର ଧ୍ୟାନ ଜଳବାୟୁ ସମାଧାନ ଉପରେ ରହିଛି ଏବଂ ଏ ଦିଗରେ କାର୍ଯ୍ୟ କରିବା ଅତ୍ୟନ୍ତ ଜରୁରୀ। ଜଳବାୟୁ ସଂକଟ ମାନବସମାଜ ପାଇଁ ନର୍କର ଦ୍ୱାର ଖୋଲିଦେଇଛି। ଭୟଙ୍କର ଉତ୍ତାପ ଦାରୁଣ ପ୍ରଭାବ ପକାଉଛି। ବନ୍ୟାରେ ଫସଲ ନଷ୍ଟ ହେଉଥିବା ଦେଖି ଚାଷୀ ବ୍ୟଥିତ; ପ୍ରବଳ ତାପମାତ୍ରା ରୋଗ ସୃଷ୍ଟି କରୁଛି ଏବଂ ଭୟଙ୍କର ଅଗ୍ନିକାଣ୍ଡମାନ ଘଟୁଥିବାରୁ ହଜାର ହଜାର ଲୋକ ଭୟରେ ପଳାୟନ କରୁଛନ୍ତି। ଆମେ ଯେଉଁଭଳି ଆହ୍ୱାନର ସମ୍ମୁଖୀନ ହେବାକୁ ଯାଉଛୁ, ସେହି ତୁଳନାରେ ଆମର ପ୍ରତିକାରାତ୍ମକ ପଦକ୍ଷେପ ନଗଣ୍ୟ। ଯଦି କିଛି କରା ନ ଯାଏ ତେବେ ଆମେ ୨.୮ ଡିଗ୍ରି ତାପମାତ୍ରା ବୃଦ୍ଧି ଆଡକୁ ଗତି କରିବା। ଏକ ବିପଜ୍ଜନକ ଏବଂ ଅସ୍ଥିର ବିଶ୍ୱ ଆଡକୁ ଆମେ ଗତି କରୁଛୁ ବୋଲି କହି ଗୁଟେରେସ ବୁଧବାର ବିଶ୍ୱ ନେତାମାନଙ୍କୁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

ତେବେ ଜାତିସଂଘ ସାଧାରଣ ପରିଷଦର ଏହି ବାର୍ଷିକ ସମ୍ମିଳନୀରେ ଅଗ୍ରଣୀ ପ୍ରଦୂଷଣକାରୀମାନେ ଯୋଗ ଦେଇ ନ ଥିଲେ। ସ୍ୱାଧୀନ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ସମାବେଶରେ ଯେଉଁମାନେ ଭାଷଣ ଦେବା ପାଇଁ ସ୍ଲଟ୍ ପାଇବେ ସେମାନଙ୍କ ପାଇଁ ପ୍ରତିବନ୍ଧକ ବହୁତ ଅଧିକ ଥିଲା। ଜାତିସଂଘ ମହାସଚିବ ସଦସ୍ୟ ରାଷ୍ଟ୍ରମାନଙ୍କୁ ଚିଠି ଲେଖି ଜଳବାୟୁ ସଙ୍କଟର ମୁକାବିଲା ପାଇଁ କିପରି ପ୍ରୟାସ କରିବେ ସେ ବିଷୟରେ ଉପସ୍ଥାପନ କରିବାକୁ ଆହ୍ୱାନ ଦେଇଥିଲେ। ଏଥିରେ ଭାଗ ନେବା ପାଇଁ ୧୦୦ରୁ ଅଧିକ ଆବେଦନ ପାଇବା ପରେ ଜାତିସଂଘ ଶେଷରେ ମଙ୍ଗଳବାର ରାତିରେ ୪୧ ଜଣ ବକ୍ତାଙ୍କ ତାଲିକା ଜାରି କରିଥିଲା, ଯେଉଁଥିରେ ଚୀନ୍, ଆମେରିକା, ବ୍ରିଟେନ୍, ଜାପାନ କିମ୍ବା ଭାରତକୁ ଅନ୍ତର୍ଭୁକ୍ତ କରାଯାଇ ନ ଥିଲା। ଗୁଟେରସ ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ, ଆମେ ଏବେ ବି ବିଶ୍ୱର ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରି ସେଲସିୟସରେ ସୀମିତ ରଖିପାରିବା। ଆମେ ଏବେ ବି ସମସ୍ତଙ୍କ ପାଇଁ ସ୍ୱଚ୍ଛ ବାୟୁ, ସବୁଜ ଚାକିରି ଏବଂ ସୁଲଭ ସ୍ୱଚ୍ଛ ଶକ୍ତି ଉପଲବ୍ଧ କରାଇ ପାରିବା। ଗୁଟେରସ ୨୦୧୫ର ପ୍ୟାରିସ୍ ଚୁକ୍ତି ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଗ୍ଲୋବାଲ ୱାର୍ମିଂକୁ ୨ ଡିଗ୍ରି ସେଲସିୟସରୁ କମ୍, ବିଶେଷତଃ ୧.୫ ଡିଗ୍ରି ସେଲସିୟସ ଭିତରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଥିଲା। ସେ କହିଥିଲେ ଯେ, ଜୀବାଶ୍ମ ଇନ୍ଧନରୁ ଅକ୍ଷୟ ଶକ୍ତିକୁ ଯିବାରେ ବିଶ୍ୱ ଏବେ ବି ଦଶନ୍ଧି ପଛରେ ରହିଛି। ଭାରତ ଗତବର୍ଷ ଆନୁଷ୍ଠାନିକ ମିଳିତ ଜାତିସଂଘର ସର୍ବୋଚ୍ଚ ସଂସ୍ଥାକୁ ନିଶ୍ଚିତ କରିଥିଲା ଯେ, ଏହା ୨୦୩୦ ସୁଦ୍ଧା ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ନିର୍ଗମନ ତୀବ୍ରତାକୁ ୨୦୦୫ ସ୍ତରରୁ ୪୫% ହ୍ରାସ କରିବ ଏବଂ ଦେଶର ୫୦% ଶକ୍ତି ଆବଶ୍ୟକତା ଅଣ-ଜୀବାଶ୍ମ ଇନ୍ଧନ ଆଧାରିତ ଶକ୍ତି ଦ୍ବାରା ପୂରଣ କରିବ।