ଜାତିସଂଘ ବିଶ୍ବ ସୁଖମୟ ଦେଶ ତାଲିକାରେ ଭାରତର ସ୍ଥାନ ୧୪୪

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜାତିସଂଘ ପ୍ରକାଶ କରିଥିବା ବିଶ୍ବ ସୁଖମୟ ଦେଶ ତାଲିକାରେ ଭାରତ ୧୪୪ ନମ୍ବର ସ୍ଥାନରେ ରହିଛି। ଜାଚିସଂଘ ୧୫୭ଟି ଦେଶରେ ସର୍ବେକ୍ଷଣ କରିଥିଲା। ସର୍ବେକ୍ଷଣରେ ଭାରତକୁ ୩. ୫୭୩ ପଏଣ୍ଟ୍ ମିଳିଥିଲା।

ପଡ଼ୋଶୀ ଦେଶ ପାକିସ୍ତାନ ୫. ୬୯୩ ପଏଣ୍ଟ୍ ହାସଲ କରି ଏହି ତାଲିକାର ୬୬ତମ ସ୍ଥାନରେ ରହିଛି।

ତାଲିକାର ଶୀର୍ଷରେ ରହିଛି ଫିନଲାଣ୍ଡ୍। କ୍ରମାଗତ ତୃତୀୟ ଥର ଲାଗି ଶୀର୍ଷସ୍ଥାନ ବଜାୟ ରଖିଥିବା ଫିନଲାଣ୍ଡ୍ ଏହି ସର୍ବେକ୍ଷଣରେ ୭.୮୦୯ ପଏଣ୍ଟ୍ ହାସଲ କରିଛି। ୭. ୬୪୬ ପଏଣ୍ଟ୍ ହାସଲ କରି ତାଲିକାର ଦ୍ବୀତିୟରେ ଡେନମାର୍କ ଏବଂ ୭. ୫୬୦ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ସୁଇଜରଲାଣ୍ଡ୍ ରହିଛି। ତା’ ତଳକୁ ୭. ୫୦୪ ପଏଣ୍ଟ୍‌ ପାଇ ଆଇସଲାଣ୍ଡ୍ ଏବଂ ୭. ୪୮୮ ପଏଣ୍ଟ୍ ପାଇ ନରୱେ ରହିଛି।

Image Source: The Jakarta Post

୨୦୧୮ ଏବଂ ୨୦୧୯ ବର୍ଷରେ ଏଥିପାଇଁ ତଥ୍ୟ ସଂଗ୍ରହ କରାଯାଇଥିଲା। ଲୋକମାନଙ୍କର ସୁଖ ମୂଲ୍ୟାୟନ କରିବାକୁ ଗବେଷକମାନେ ଆର୍ଥିକ ଅଭିବୃଦ୍ଧି, ସାମାଜିକ ସହାୟତା, ବ୍ୟକ୍ତିଗତ ସ୍ବାଧୀନତା ଦୁର୍ନୀତି ସ୍ତର ଆଦି ବିଷୟକୁ ଆଧାର କରିଥିଲେ।

ଏହି ରିପୋର୍ଟର ଅନ୍ୟତମ ଲେଖକ ଜନ୍ ହେଲିୱେଲ୍ ଏକ ବିବୃତିରେ କହିଛନ୍ତି: ଯେଉଁ ଦେଶରେ ଲୋକେ ପରସ୍ପରର ନିବିଡ଼ତା ଅନୁଭବ କରିନ୍ତି ସେହି ଦେଶ ହିଁ ସବୁଠୁ ସୁଖପ୍ରଦ ଦେଶ। ଏଠାରେ ଲୋକେ ପରସ୍ପରକୁ ବିଶ୍ବାସ କରନ୍ତି ଓ ସୁଖଦୁଃଖ ବାଣ୍ଟନ୍ତି। ଏହା ଫଳରେ ଦୁର୍ଦ୍ଦଶାର ବୋଝ ହ୍ରାସ ପାଇବା ସହ ସାମାଜିକ ଅସମାନତା ହ୍ରାସ ପାଏ।

ସମ୍ବନ୍ଧିତ ଖବର