ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆସନରେ କାହାକୁ ବସାଯିବ ସେନେଇ ଦଳ ଏବେ ଅଡ଼ୁଆରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ବରିଷ୍ଠ ନେତା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଲାଗିଛି। ବେଙ୍ଗାଲୁରୁରେ ଏ ନେଇ କୌଣସି ନିଷ୍ପତ୍ତି ହୋଇ ନପାରିବାରୁ ପାର୍ଟିି ହାଇକମାଣ୍ଡ ସୋମବାର ଦିନ ସିଦ୍ଦରମେୟା ଏବଂ ଶିବକୁମାରଙ୍କୁ ଦିଲ୍ଲୀ ଡକାଇଥିଲେ। ସିଦ୍ଦରମେୟା ଦିଲ୍ଲୀ ପହଞ୍ଚି ସାରିଛନ୍ତି। କିନ୍ତୁ ଡିକେ ଶିବକୁମାର ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଗସ୍ତ ବାତିଲ କରିଦେଇଛନ୍ତି। ଅସୁସ୍ଥତା ଦର୍ଶାଇ ସେ ଦିଲ୍ଲୀ ଗସ୍ତ ବାତିଲ କରିଥିବା କୁହାଯାଉଛି। ଏହାକୁ ନେଇ କଂଗ୍ରେସ ହାଇକମାଣ୍ଡ ଅଡ଼ୁଆରେ ପଡ଼ିଯାଇଛନ୍ତି।
ଶିବକୁମାର କହିଛନ୍ତି, ମୁଁ କୌଣସି ଗେମ୍ ଖେଳୁନାହିଁ। କିନ୍ତୁ ଦଳ ମତେ ଯେଉଁ ପଦବି ଚାହିବ ତାହା ଦେଇପାରିବ। ସମସ୍ତ ୧୩୫ ବିଧାୟକଙ୍କ ସମର୍ଥନ ମୋ ସହ ଅଛି। ସେମାନେ ସେମାନଙ୍କ ନିଷ୍ପତ୍ତି ପାର୍ଟି ହାଇକମାଣ୍ଡଙ୍କ ଉପରେ ଛାଡ଼ି ଦେଇଛନ୍ତି। ପାକସ୍ଥଳୀରେ ସଂକ୍ରମଣ ଏବଂ ଜ୍ବର ହୋଇଥିବାରୁ ମୁଁ ଦିଲ୍ଲୀ ଯାଇପାରୁନି। ତେବେ ଶିବକୁମାର ସିଦ୍ଦରମେୟାଙ୍କୁ ‘ଅଲ ଦି ବେଷ୍ଟ୍’ କହି ଶୁଭେଚ୍ଛା ଜଣାଇଥିବାରୁ ଏହାକୁ ନେଇ ଅଧିକ ସସ୍ପେନ୍ସ ବଢ଼ିଛି। କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି। ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ବାତିଲ ପରେ ପାର୍ଟି ହାଇକମାଣ୍ଡଙ୍କ ନିଷ୍ପତ୍ତି କ’ଣ ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଦଳ ଭାବିଚିନ୍ତି ନିଷ୍ପତ୍ତି ନେବ। ନଚେତ କର୍ଣ୍ଣାଟକରେ ବି ରାଜସ୍ଥାନ ଏବଂ ପଞ୍ଜାବ ଭଳି ସ୍ଥିତି ଉପୁଜିପାରେ। ଶିବକୁମାର ହେଉଛନ୍ତି ଦଳର ସଙ୍କଟମୋଚକ। ଅନ୍ୟପକ୍ଷେ ସିଦ୍ଦରମେୟା ହେଉଛନ୍ତି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ଜଣେ ବରିଷ୍ଠ ନେତା। ମିଳିଥିବା ସୂଚନାନୁଯାୟୀ ସିଦ୍ଦରମେୟା ପାର୍ଟି ହାଇକମାଣ୍ଡଙ୍କ ଆଗରେ ନିଜର ଇଚ୍ଛା ପ୍ରକାଶ କରି କହିଛନ୍ତି ଯେ ତାଙ୍କୁ ବୟସ ହୋଇଯାଇଥିବାରୁ ସେ କର୍ଣ୍ଣାଟକରେ କଂଗ୍ରେସ ସରକାରର ପ୍ରଥମ ୨ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ। ବାକି ୩ ବର୍ଷ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କିନ୍ତୁ ଶିବକୁମାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ବିଧାୟକ ଦଳ ନେତା ଗତକାଲି ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ କରିଥିଲେ ଏବଂ ପ୍ରସ୍ତାବ ଅନୁଯାୟୀ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ହାତରେ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ବ ଦିଆଯାଇଛି।
ଅନ୍ୟପକ୍ଷରେ କ୍ଷୋଭର ସହିତ ଶିବକୁମାର କହିଛନ୍ତି ସୋନିଆ ଗାନ୍ଧି ମୋତେ କହିଥିଲେ ତୁମ ଉପରେ ମୋର ବିଶ୍ବାସ ଅଛି। କର୍ଣ୍ଣାଟକରେ ତୁମେ ସଫଳ ହେବ। ମୁଁ ଏବେ ଏଠାରେ ରହିଛି ଏବଂ ମୋ ନିୟମିତ ଦାୟିତ୍ବ ସଂପାଦନ କରୁଛି। କର୍ଣ୍ଣାଟକ ବିଜୟ ପଛରେ କାହାର ହାତ ରହିଛି ତାହାକୁ ସ୍ବୀକୃତି ଦେବାର ମୌଳିକ ସୌଜନ୍ୟ ଓ କୃତଜ୍ଞତା ସେମାନଙ୍କର ମଧ୍ୟ ରହିବା ଉଚିତ ବୋଲି ଶିବକୁମାର ଏକ ଘରୋଇ ଟିଭି ଚାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।
ଏବେ ମିଳିଥିବା ସୂଚନା ଅନୁଯାୟୀ ଶିବକୁମାରଙ୍କୁ ମନାଇବା ଲାଗି ହାଇକମାଣ୍ଡ ଉଦ୍ୟମ ଚଳାଇଛନ୍ତି। ସେ ଆସନ୍ତାକାଲି ଦିଲ୍ଲୀ ଯାଇପାରନ୍ତି। ଏହି କାରଣରୁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ଅଟକାଯାଇଛି।