ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଗୁଜରାଟର ସୁରତ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ଘୋଷଣା କରାଯାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। କାରଣ ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ରକୁ ନାକଚ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ ତାଙ୍କ ମନୋନୟନପତ୍ରରେ ଯେଉଁମାନେ ପ୍ରସ୍ତାବକ ଥିଲେ, ସେମାନେ ଓହରିଯାଇଥିଲେ। ଦଳର ଆଉ ଜଣେ ଡମି ପ୍ରାର୍ଥୀଙ୍କ ମନୋନୟନପତ୍ର ମଧ୍ୟ ସମାନ କାରଣରୁ ନାକଚ ହୋଇଯାଇଥିଲା। ଏହାର କିଛି ସମୟ ପରେ ଅନ୍ୟ ୮ ଜଣ ପ୍ରାର୍ଥୀ ସେମାନଙ୍କର ମନୋନୟନପତ୍ର ପ୍ରତ୍ୟାହାର କରିନେଇଥିଲେ। ଫଳରେ ଦଲାଲଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ଘୋଷଣା କରାଯାଇଥିଲା। ନିକଟରେ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ୧୦ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଧାୟକ ନିର୍ବାଚିତ ହେବାପରେ ସୁରତର ଏହି ଘଟଣାକୁ ବିରୋଧୀମାନେ ଭିନ୍ନ ରୂପରେ ଦେଖୁଛନ୍ତି। କିନ୍ତୁ ଲୋକସଭା ନିର୍ବାଚନରେ ବିନା ପ୍ରତିଦ୍ବନ୍ଦ୍ବିତାରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବାରେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ୨୩ ଜଣ ପ୍ରାର୍ଥୀ ଏମିତି ନିର୍ବାଚିତ ହୋଇଥିଲେ। ଏହି ତାଲିକାରେ ଦଲାଲଙ୍କ ନମ୍ବର ହେଉଛି ୨୪।
Sambad is now on WhatsApp
Join and get latest news updates delivered to you via WhatsApp
୧୯୫୧-୫୨ରେ ଅନୁଷ୍ଠିତ ପ୍ରଥମ ଲୋକସଭା ନିର୍ବାଚନରେ ଏହି ପରମ୍ପରା ଆରମ୍ଭ ହୋଇଥିଲା। କିନ୍ତୁ ୧୯୮୯ ପରେ ବିନା ପ୍ରତିଦ୍ବନ୍ଦ୍ବିତାରେ ଆଉ କେହି ନିର୍ବାଚିତ ହୋଇନଥିଲେ। ବିନା ପ୍ରତିଦ୍ବନ୍ଦ୍ବିତାରେ ଲୋକସଭାକୁ ନିର୍ବାଚିତ ହେବାରେ ଆନନ୍ଦ ଚାନ୍ଦ ଥିଲେ ପ୍ରଥମ ପ୍ରାର୍ଥୀ। ଦେଶରେ ପ୍ରଥମ ଥର ପାଇଁ ୧୯୫୧ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ସେ ବିଳାସପୁର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ସେହି ନିର୍ବାଚନରେ କଂଗ୍ରେସର ୪ ଜଣ ପ୍ରାର୍ଥୀ ମଧ୍ୟ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିଲେ। ୧୯୫୭ ଲୋକସଭା ନିର୍ବାଚନରେ ୫ ଜଣ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିଲେ। ସେମାନେ ଥିଲେ ରାଜମହେନ୍ଦ୍ରୀରୁ ଡିଏସ୍ ରାଜୁ, ବିକାରାବାଦରୁ ଲକ୍ଷ୍ମୀବାଇ, ଦାରଙ୍ଗରୁ ବିଜୟ ଭାଗବତୀ, ମାଣ୍ଡଲାରୁ ମଙ୍ଗରୁ ବାବୁ ଏବଂ ହାସନରୁ ସିଦ୍ଦାନନଜପ୍ପା। ୧୯୬୨ ଲୋକସଭା ନିର୍ବାଚନରେ ତିନି ଜଣ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ତେହରି ଗେରୱାଲରୁ ମାନବେନ୍ଦ୍ର ଶାହ, ତିରୁଚେନ୍ଦରରୁ ଟି କ୍ରିଷ୍ଣାମାଚାରୀ, ଅନୁଗୁଳରୁ ହରେକୃଷ୍ଣ ମହତାବ। ୧୯୬୭ରେ ମଧ୍ୟ ୫ ଜଣ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ବିଜୟୱାଡ଼ାରୁ କେଏଲ ରାଓ, କୋକ୍ରାଝାରରୁ ଆର. ବ୍ରହ୍ମା, ଅନନ୍ତନାଗରୁ ମହମ୍ମଦ ସଫି କୁରେଶୀ, ଲଦାଖରୁ କୁଷୋକ ରିନପୋଚ୍, ନାଗାଲାଣ୍ଡରେ ଏସ୍.ସି. ଜମିର। ୧୯୭୧ରେ ଲକ୍ଷଦ୍ବୀପରୁ ପିଏମ୍. ସୟୀଦ ନିର୍ବାଚିତ ହୋଇଥିବା ବେଳେ ୧୯୭୭ରେ ଅରୁଣାଚଳରେ ଆରକେ ଖିମ୍ରେ ଏବଂ ସିକିମରେ ଛତ୍ର ବାହାଦୂର ଛେତ୍ରୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିଲେ। ୧୯୮୦ରେ ଶ୍ରୀନଗରରୁ ଫାରୁକ ଅବଦୁଲ୍ଲା ଏବଂ ୧୯୮୯ରେ ସେହି ଶ୍ରୀନଗରରୁ ମହମ୍ମଦ ସଫି ଭଟ୍ଟ ବିନା ପ୍ରତିଦ୍ବନ୍ଦ୍ବିତାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।