ନୂଆଦିଲ୍ଲୀ : ଦେଶରେ କୋଭିଡ୍ ସ୍ଥିତି ଦିନକୁ ଦିନ ଅତି ସାଂଘାତିକ ହେବାରେ ଲାଗିଛି। ଲଗାତାର ସଂକ୍ରମଣ ବଢ଼ିବା ସହିତ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଲଗାତାର ୨୯ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ିବାରେ ଲାଗିଛି। ସକ୍ରିୟ ମାମଲା ୮ ଲକ୍ଷ ଟପିବାର ଦିନକ ପରେ ଆଜି ୯ ଲକ୍ଷ ଟପି ଯାଇଛି। ମୋଟ୍ ସକ୍ରିୟ ମାମଲା ୯,୧୦,୩୧୯ ରହିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୭.୦୪ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ଲଗାତାର ଭାବେ ଖସୁଛି। ଆରୋଗ୍ୟ ହାର ଏବେ ୯୧.୬୭ ପ୍ରତିଶତକୁ ଖସି ଆସିଛି। ଗତ ଫେବ୍ରୁଆରି ୧୨ ତାରିଖରେ ଦେଶରେ ସବୁଠୁ କମ୍ ସକ୍ରିୟ ମାମଲା ୧,୩୫,୯୨୬ ଥିଲା। ଏହା ମୋଟ୍ ସଂକ୍ରମଣ ମାମଲାର ମାତ୍ର ୧.୨୫ ପ୍ରତିଶତ ଥିଲା। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨୬,୭୮୯ ନୂଆ ମାମଲା ଚିହ୍ନଟ ହୋଇଛନ୍ତି ଏବଂ ୬୮୫ ନୂଆ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ଲକ୍ଷେ ୨୫ ହଜାର ଟପିଛି। ଦିନକରେ ୬୭,୪୩୯ ସକ୍ରିୟ ମାମଲା ରହିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୨୯,୨୮,୫୭୪ ପହଞ୍ଚିଛି ଏବଂ କରୋନା ମୃତ୍ୟୁସଂଖ୍ୟା ୧,୬୬,୮୬୨ ରହିଛି।
ମହାରାଷ୍ଟ୍ର ଏବଂ ଅନ୍ୟ ୩ ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ଗତକାଲି ୫ ଲକ୍ଷ ଟପିଯାଇଛି। ଦେଶରେ ମୋଟ୍ ସକ୍ରିୟ ମାମଲାର ୫୬ ପ୍ରତିଶତ କେବଳ ମହାରାଷ୍ଟ୍ରରେ ରହିଛି। ଅନ୍ୟପକ୍ଷେ ଛତିଶଗଡ଼ରେ ଦିନକରେ ରେକର୍ଡ ୧୦,୩୧୦ ମାମଲା ଚିହ୍ନଟ ହୋଇଛି। ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଯଥାକ୍ରମେ ୪,୦୪୩ ଏବଂ ୩,୫୭୫ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୩୨୨ କରୋନା ମୃତ୍ୟୁ ହୋଇଛି।