ନୂଆଦିଲ୍ଲୀ: ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ ଅଫିସରେ ଆଇଟି (ଆୟକର) ଚଢ଼ଉ ହେବା ମାମଲାରେ ଆଜି ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ କହିଛି, ଆଇଟି କାର୍ଯ୍ୟାନୁଷ୍ଠାନ ହେଉଛି ‘ଅଘୋଷିତ ଏମର୍ଜେନ୍ସି’। କଂଗ୍ରେସ ସାଧାରଣ ସଂପାଦକ ଜୟରାମ ରମେଶ ଆଜି ଏକ ଟ୍ବିଟ୍ କରି କହିଛନ୍ତି, ଆଦାନି ପ୍ରସଙ୍ଗରେ ଆମେ ଜେପିସି ତଦନ୍ତ ଦାବି କରୁଛୁ କିନ୍ତୁ ସରକାର ବିବିସି ପଛରେ ପଡ଼ିଛନ୍ତି। ବିନାଶ କାଳେ ବିପରିତ ବୁଦ୍ଧି। କେସି ବେଣୁଗୋପାଳ ଏହି କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଛନ୍ତି ଏବଂ କହିଛନ୍ତି, ଏହା ହତାଶାର ସଙ୍କେତ ଏବଂ ମୋଦୀ ସରକାର ସମାଲୋଚନାକୁ ଭୟ କରୁଛନ୍ତି ବୋଲି ଏଥିରୁ ଜଣାପଡ଼ୁଛି। ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ କହିଛନ୍ତି, ପ୍ରଥମେ ବିବିସି ଡକୁମେଣ୍ଟାରି ନିଷିଦ୍ଧ କରାଗଲା। ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ହେଲାନି। ଏବେ ପୁଣି ବିବିସି ଅଫିସରେ ଆଇଟି ଚଢ଼ଉ ହେଉଛି।
ତେବେ ବିଜେପି ଏହାର ଜବାବ ଦେଇ କହିଛି, ବିବିସି ହେଉଛି ବିଶ୍ବରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ସଂସ୍ଥା। ଏହାର ପ୍ରଚାର ଷଡ଼ଯନ୍ତ୍ର ଏବଂ କଂଗ୍ରେସର ଏଜେଣ୍ଡା ଏକାଠି କାମ କରୁଛି। ଆଇଟି କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସର ସମାଲୋଚନାକୁ ଆଜି ବିଜେପି ଜାତୀୟ ମୁ୍ଖପାତ୍ର ଗୌରବ ଭାଟିଆ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଭାଟିଆ କହିଛନ୍ତି, ସରକାରୀ ସଂସ୍ଥାକୁ ଏହାର କାର୍ଯ୍ୟ କରିବାକୁ ଦିଆଯିବା ଉଚିତ। ବିବିସି ବିରୋଧରେ ବର୍ଷି ଭାଟିଆ କହିଛନ୍ତି, ବିବିସି ଭଳି ଭ୍ରଷ୍ଟ ସଂସ୍ଥା ଭାରତ ବିରୋଧରେ ଲଗାତାର ଷଡ଼୍ଯନ୍ତ୍ର କରିଆସିଛି। କଂଗ୍ରେସ ଏହା ମନେ ରଖିବା ଉଚିତ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ବିବିସିକୁ ନିଷିଦ୍ଧ କରିଥିଲେ। ଭାରତ ବିରୋଧରେ କାର୍ଯ୍ୟ କରିବା ନେଇ ବିବିସିର ଏକ କଳା ଇତିହାସ ରହିଛି ବୋଲି ଭାଟିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।