୩୨ ବର୍ଷ ତଳର ହତ୍ୟା ମାମଲା: ମୁଖତାର ଅନ୍‌ସାରୀଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ମୁଖତାର ଅନ୍‌ସାରୀଙ୍କୁ ଆଜି ଆଜୀବନ ଜେଲ୍‌ ହୋଇଛି। ୩୨ ବର୍ଷର ଏକ ପୁରୁଣା ହତ୍ୟା ମାମଲାରେ ଉତ୍ତରପ୍ରଦେଶ ବାରଣାସୀର ଏକ ସ୍ବତନ୍ତ୍ର ଏମ୍‌ପି /ଏମଏଲଏ କୋର୍ଟ ଆଜି ଅନସାରୀଙ୍କୁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନସାରୀଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହା ଅନ୍‌ସାରୀଙ୍କ ଷଷ୍ଠ ଦଣ୍ଡାଦେଶ। ୧୯୯୧ ଅଗଷ୍ଟ ୩ ତାରିଖରେ କଂଗ୍ରେସ ନେତା ଏବଂ ପୂର୍ବତନ ବିଧାୟକ ଅଜୟ ରାୟଙ୍କ ଭାଇ ଅୱଧେଶ ରାୟଙ୍କୁ ବାରଣାସୀ ସ୍ଥିତ ତାଙ୍କ ବାସଭବନ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଏନେଇ ଅଜୟ ରାୟ ମୁ୍ଖତାର ଅନ୍‌ସାରୀ, ଭୀମ ସିଂହ, ପୂର୍ବତନ ବିଧାୟକ ଅବଦୁଲ କଲିମ ଏବଂ ଅନ୍ୟ ୨ ଜଣଙ୍କ ବିରୋଧରେ ଏତଲା ରୁଜୁ କରିଥିଲେ। ଏହି ମାମଲାରେ ବିଚାରଣ ଚାଲିଥିଲା। ଗତ ମେ’ ୧୯ ତାରିଖରେ ବାରଣାସୀ ଏମ୍‌ପି/ଏମଏଲଏ କୋର୍ଟ ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଅନସାରୀଙ୍କୁ ଆଜି ଜେଲ୍‌ ଦଣ୍ଡାଦେଶ ହୋଇଛି। କୋର୍ଟଙ୍କ ରାୟକୁ ସ୍ବାଗତ କରି ଅଜୟ ରାୟ କହିଛନ୍ତି, ଦୀର୍ଘ ୩୨ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ମୁଁ , ମୋ ବାପା ମା’, ଅୱଧେଶଙ୍କ ଝିଅ ଏବଂ ପୂରା ପରିବାର ଧୈର୍ଯ୍ୟ ରଖିଥିଲୁ। ଆଶା ଛାଡ଼ି ନଥିଲୁ। ଆମ ଓକିଲଙ୍କ ଉଦ୍ୟମ ବଳରେ କୋର୍ଟ ଆଜି ମୋ ଭାଇର ହତ୍ୟା ମାମଲାରେ ଅନସାରୀଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି।

୫ ଥର ବିଧାୟକ ହୋଇଥିବା ମୁଖତାର ଅନ୍‌ସାରୀଙ୍କ ବିରୋଧରେ ୬୧ଟି ଅପରାଧିକ ମାମଲା ରହିଛି। ଅନ୍ୟ ଏକ ଅପହରଣ ଏବଂ ହତ୍ୟା ମାମଲାରେ ଅନ୍‌ସାରୀଙ୍କୁ ଗତ ଏପ୍ରିଲ‌ରେ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଥିଲା। ଅନ୍‌ସାରୀ ୧୯୯୬, ୨୦୦୨, ୨୦୦୭, ୨୦୧୨ ଏବଂ ୨୦୧୭ ବିଧାନସଭା ନିର୍ବା‌ଚନ ଜିତିଥିଲେ। ଶେଷ ୩ଟି ନିର୍ବାଚନ ସେ ଜେଲ୍‌ରେ ଥାଇ ଜିତିଥିଲେ। ମୁଖତାର ଅନ୍‌ସାରୀଙ୍କ ପୁଅ ଅବ୍ବାସ ଅନ୍‌ସାରୀ ୨୦୨୨ରେ ମଉ ସଦରରୁ ବିଧାନସଭା ନିର୍ବା‌ଚନ ଜିତିଥିଲେ। ଅନ୍‌ସାରି ମଧ୍ୟ ଉତ୍ତରପ୍ରଦେଶର ସବୁଠାରୁ ଏକ ସମ୍ବେଦନଶୀଳ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ। ୨୦୦୫ ନଭେମ୍ବରରେ ସେ ବିଜେପି ବିଧାୟକ କ୍ରୀଷ୍ଣାନନ୍ଦ ରାୟଙ୍କୁ ଏକେ-୪୭ ରାଇଫଲ୍‌ରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର