ନୂଆଦିଲ୍ଲୀ: ବିରୋଧୀ ବିଜେପି ପକ୍ଷରୁ ବାରମ୍ବାର ଚାପ ପଡ଼ିବା ପରେ କଂଗ୍ରେସ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଶ୍ୟାମ ପିଟ୍ରୋଡା ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ଉପରେ ଦେଇଥିବା ବୟାନ ପାଇଁ କ୍ଷମା ମାଗିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ତାଙ୍କୁ ନିଜ ଦଳ କଂଗ୍ରେସ ପକ୍ଷରୁ ମଧ୍ୟ ସଚେତନ କରାଯାଇଥିଲା। ପିଟ୍ରୋଡା କ୍ଷମା ପ୍ରାର୍ଥନା କରି କହିଛନ୍ତି ଯେ ‘ମୁଁ ଯାହା କହିଥିଲି ତାହା ଭୁଲ୍ ଭାବେ ଉପସ୍ଥାପନ କରାଯାଇଛି। ସେ ଯାହା ବି ହେଉ, ମୁଁ ସେଥିପାଇଁ କ୍ଷମା ଚାହୁଁଛି।’
ଉଲ୍ଲେଖଯୋଗ୍ୟ, ନିକଟରେ ଶ୍ୟାମ ପିଟ୍ରୋଡା ଏକ ସାକ୍ଷାତ୍କାରରେ ବିଜେପିକୁ ଟାର୍ଗେଟ କରି ୧୯୮୪ ମସିହା ଦଙ୍ଗା ପ୍ରସଂଗରେ କହିଥିଲେ କି ‘୧୯୮୪ ମସିହା କଥା କାହିଁ କହୁଛ? ପାଞ୍ଚ ବର୍ଷ ଭିତରେ ତୁମେ କ’ଣ କରିଛ କୁହ?୧୯୮୪ ମସିହାରେ ଯାହା ହେଲା ତ ହେଲା। ତମେ କ’ଣ କରିଛ?’
‘୧୯୮୪ ମସିହାରେ ଯାହା ହେଲା ତ ହେଲା’ ବୟାନ ପାଇଁ ବିବାଦୀୟ ହୋଇଥିଲେ ପିଟ୍ରୋଡା। ତାଙ୍କର ଏପରି ବୟାନ ପାଇଁ ବିଜେପି ପକ୍ଷରୁ ତାଙ୍କୁ ବାରମ୍ବାର କ୍ଷମା ମାଗିବା ପାଇଁ ଚାପ ପକାଯାଇଥିଲା। ପୂରା କଂଗ୍ରେସ ଦଳକୁ ମଧ୍ୟ ଏଥିପାଇଁ ନିନ୍ଦା କରିଥିଲା ବିଜେପି।
ଏ ପ୍ରସଂଗରେ କଂଗ୍ରେସ ସଫେଇ ଦେଇ କହିଥିଲା ଯେ ‘କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିର ମନ୍ତବ୍ୟ ପାଇଁ ଦଳ ଦାୟୀ ନୁହେଁ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଟ୍ରୋଡାଙ୍କ ଏପରି ବୟାନକୁ ଆକ୍ଷେପ କରି ପୂରା କଂଗ୍ରେସର ସ୍ୱଭାବ ଚିତ୍ରଣ କରିଥିଲେ।