କୋଭିଡ୍‌ ଆର୍‌ ଭାଲ୍ୟୁ ୧ ତଳେ: କେରଳ, ମହାରାଷ୍ଟ୍ରରେ ବି ସ୍ଥିତି ନିୟନ୍ତ୍ରଣାଧୀନ

୮୮ ଦିନ ଧରି ପଜିଟିଭ୍‌ ହାର ୩ ପ୍ରତିଶତ ତଳେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ ସଂକ୍ରମଣ ହାର ଏବେ ଲଗାତାର କମୁଛି । ସଂକ୍ରମଣର ତୀବ୍ରତାକୁ ଦର୍ଶାଉଥିବା ଆର୍‌-ଭାଲ୍ୟୁ ଏବେ ସମଗ୍ର ଦେଶରେ ୧ ତଳେ ରହିବା ବଡ଼ ଆଶ୍ବସ୍ତିର କାରଣ ହୋଇଛି। ଆର୍‌ ଭାଲ୍ୟୁ କମିବା ଯୋଗୁଁ ସଂକ୍ରମଣର ପ୍ରକୋପ ମଧ୍ୟ ଥମି ଯାଇଛି ଏବଂ ଆଗାମୀ ଦିନରେ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବା ସମ୍ଭାବନା ରହିଛି। ଦେଶରେ ଗତ ଅଗ‌ଷ୍ଟ ମାସରେ ଆର୍‌ ଭାଲ୍ୟୁ ୧.୧୭ ଥିଲା। କିନ୍ତୁ ଚଳିତ ସେପ୍ଟେମ୍ବର ମଧ୍ୟଭାଗରେ ଏହା ୦.୯୨ ରହିଛି। ସଂକ୍ରମଣ ହାର ଏଭଳି କମିବା ଜାରି ରହିଲେ ଆଉ ତୃତୀୟ ଲହରକୁ ନେଇ ବଡ଼ ବିପଦ ଆଶଙ୍କା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କିନ୍ତୁ କିଛି ପ୍ରମୁଖ ସହର ତଥା ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁରେ ଆର୍‌ ଭାଲ୍ୟୁ ୧ ଉପରେ ରହିଛି। ଦିଲ୍ଲୀ ଏବଂ ପୁନେର ଆର୍‌ ଭାଲ୍ୟୁ ୧ ତଳେ ରହିଛି। ମହାରାଷ୍ଟ୍ର ଏବଂ କେରଳରେ ଆର୍‌ ଭାଲ୍ୟୁ ୧ ତଳେ ରହିବା କରୋନା ପ୍ରକୋପ ଥମି ଯାଇଥିବା ଦର୍ଶାଉଛି। ଦେଶରେ ସର୍ବାଧିକ ସଂକ୍ରମଣ ମାମଲା ଏହି ୨ଟି ରାଜ୍ୟରେ ଥିବାବେଳେ ଆର୍‌ ଭାଲ୍ୟୁ ୧ ତଳେ ରହିବା ଆଶ୍ବସ୍ତି ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ଶେଷରେ ଦେଶରେ ଆର୍‌ ଭାଲ୍ୟୁ ୧.୧୭ ଥିଲା। ସେପ୍ଟେମ୍ବର ୪-୭ରେ ଆର୍‌ ଭାଲ୍ୟୁ ୧.୧୧ କୁ କମିଥିବା ବେଳେ ଏହା ପରଠାରୁ ଆର୍‌ ଭାଲ୍ୟୁ ୧ ତଳେ ରହିଛି। ମୁମ୍ବାଇରେ ଆର୍‌ ଭାଲ୍ୟୁ ୧.୦୯ ଥିବାବେଳେ ‌ଚେନ୍ନାଇରେ ୧.୧୧ , କୋଲକାତାରେ ୧.୦୪ ଏବଂ ବେଙ୍ଗାଲୁରୁରେ ଆର୍ ଭାଲ୍ୟୁ ୧.୦୬ ରହିଛି। ମାର୍ଚ୍ଚ-ମେ ମଧ୍ୟରେ କରୋନା ବଡ଼ ବିପର୍ଯ୍ୟୟ ଆଣିଥିଲା ଏବଂ ଅନେକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ହୋଇଥିଲା।

କରୋନା ଦ୍ବିତୀୟ ଲହର ଦେଶରେ ଶୀର୍ଷରେ ଥିବା ସମୟରେ ଆର୍‌ ଭାଲ୍ୟୁ ମାର୍ଚ୍ଚ ୯ରୁ ଏପ୍ରିଲ ୨୧ ମଧ୍ୟରେ ୧.୩୭ ଥିଲା। ଏପ୍ରିଲ ୨୪ରୁ ମେ’ ୧ ମଧ୍ୟରେ ଏହା ୧.୧୮କୁ କମିଗଲା ଏବଂ ଏପ୍ରିଲ ୨୯ରୁ ମେ’ ୭ ମଧ୍ୟରେ ଏହା ପୁଣି ୧.୧୦କୁ କମିଗଲା। ସେପ୍ଟେମ୍ବର ୪-୭ ମଧ୍ୟରେ ଦେଶରେ ଆର୍‌ ଭାଲ୍ୟୁ ୦.୯୪ , ସେପ୍ଟେମ୍ବର ୧୧ରୁ ୧୫ ମଧ୍ୟରେ ୦.୯୨ ଏବଂ ‌ସେ‌ପ୍ଟେମ୍ବର ୧୪-୧୯ ମଧ୍ୟରେ ଆର୍‌ ଭାଲ୍ୟୁ ୦.୯୨ ଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍‌ ଆରୋଗ୍ୟ ହାର ଏବେ ୯୭.୭୫ ପ୍ରତିଶତ ରହିଛି । ସାପ୍ତାହିକ ପଜିଟିଭ୍‌ ହାର ୨.୦୮ ପ୍ରତିଶତ ଥିବାବେଳେ ୮୮ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୩ ପ୍ରତିଶତ ତଳେ ରହିଛି।

ସମ୍ବନ୍ଧିତ ଖବର