କଠୁଆ- ସାମ୍ବା ସେକ୍ଟରରେ ବିଶାଳ ସୁଡ଼ଙ୍ଗ

ବିଏସ୍‌ଏଫ୍‌ର ବିଶାଳ କାର୍ଯ୍ୟାନୁଷ୍ଠାନ

ହିରାନଗର: କଠୁଆ ଜିଲ୍ଲାର ଆନ୍ତର୍ଜାତୀୟ ସୀମା ନିକଟରେ ଏକ ବିଶାଳ ସୁଡ଼ଙ୍ଗ ଥିବା ବିଏସଏଫ୍‌କୁ ଖବର ମିଳିଛି। ଏହି ସୁଡ଼ଙ୍ଗ ଦେଇ ୫ ଜଣ ପାକ୍‌ ଆତଙ୍କବାଦୀ ମଧ୍ୟ ଭାରତରେ ପ୍ରବେଶ କରିଥିବା ଆଜି ବିଏସ୍‌ଏଫ ସ୍ପଷ୍ଟ କରିଛି। କଠୁଆ ଜିଲ୍ଲାର ଆନ୍ତର୍ଜାତୀୟ ସୀମା ଦେଇ ଏହି ଆତଙ୍କବାଦୀଙ୍କ ଅନୁପ୍ରବେଶ ଖବର ମିଳିଥିବାବେଳେ କୌଣସି ବଡ଼ ଧରଣର ଆକ୍ରମଣ ପାଇଁ ସେମାନେ ଯୋଜନା କରୁଥିବା ଆଶଙ୍କା କରାଯାଉଛି। ତେବେ ଏହି ଷୁଡ଼ଙ୍ଗର ପର୍ଦ୍ଦାଫାଶ ପାଇଁ ଏବେ ବିଏସ୍‌ଏଫ୍‌ ପକ୍ଷରୁ ଏକ ବିଶାଳ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜମ୍ମୁ ଫ୍ରଣ୍ଟିୟର୍‌ର ବିଏସଏଫ୍‌ ଆଇଜିଙ୍କ କହିବା ଅନୁଯାୟୀ ଏହି ସୁଡ଼ଙ୍ଗକୁ ଠାବ କରିବାପାଇଁ ବିଏସଏଫ୍‌ ଅନେକ ଜେସିବି ମେସିନ୍‌, ବହୁ ସଂଖ୍ୟାରେ ସୁରକ୍ଷାବଳଙ୍କୁ ମୁତୟନ କରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ୨୦୧୨ ମସିହାଠାରୁ ଜମ୍ମୁ ଅଞ୍ଚଳର ଭାରତ-ପାକ୍‌ ସୀମାରେ ଉଭୟ ବିଏସଏଫ୍‌ ଏବଂ ସ୍ଥଳ ସେନାବାହିନୀ ଦ୍ୱାରା ୬ଟି ସୀମାପାର ସୁଡ଼ଙ୍ଗ ଚିହ୍ନଟ ହୋଇଛି। ପାକିସ୍ତାନ ପଟରୁ ଆତଙ୍କବାଦୀମାନଙ୍କୁ ଜମ୍ମୁ କଶ୍ମୀରରେ ପ୍ରବେଶ କରିବାପାଇଁ ଏଭଳି ସୁଡଙ୍ଗ ଖୋଳୁଥିବା ଜଣାପଡ଼ିଛି। ଗତ ୨୦୧୭ ମସିହା ସେପ୍ଟେମ୍ବର ୩୦ ତାରିଖରେ ବିଏସଏଫ୍‌ର ୬୨ ବାଟାଲିଅନ୍‌ ଦଳ ଜମ୍ମୁ ଜିଲ୍ଲାର ଆର୍ନିଆ ବେଲ୍ଟ୍‌ର ଆନ୍ତର୍ଜାତୀୟ ସୀମା ନିକଟରେ ଏକ ଅସମ୍ପୂର୍ଣ୍ଣ ସୁଡ଼ଙ୍ଗ ଚିହ୍ନଟ କରିଥିଲେ ଯାହାର ଲମ୍ବ ୧୨ରୁ ୧୪ ଫୁଟ୍‌ ଥିବାବେଳେ ଉଚ୍ଚତା ଥିଲା ୩ ଫୁଟ୍‌ ଏବଂ ଏହାର ଓସାର ଥିଲା ୨ରୁ ଅଢ଼େଇ ଫୁଟ୍‌। ସେହିପରି ୨୦୧୭ ମସିହା ଫେବ୍ରୁଆରି ୧୪ ତାରିଖରେ ସାମ୍ବା ଜିିଳ୍ଲାର ଆନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନ ପାର୍ଶ୍ୱରୁ ଏକ ସୁଡ଼ଙ୍ଗ ଚିହ୍ନଟ ହୋଇଥିଲା। ୨୦୧୬ ମସିହା ମାର୍ଚ୍ଚ ୩ ତାରିଖରେ ଜମ୍ମୁ ଜିଲ୍ଲାର ଆରଏସ ପୁରା ସେକ୍ଟରରେ ପାକିସ୍ତାନ ପାର୍ଶ୍ୱରୁ ଏକ ୩୦ ମିଟର ଲମ୍ବର ସୁଡ଼ଙ୍ଗ ଚିହ୍ନଟ ହୋଇଥିଲା। ୨୦୧୪ ମସିହା ମେ’ ମାସରେ ସାମ୍ବା ଜିଲ୍ଲାରେ ଚିଲିଆରି ସୀମାରେ ଏକ ସୁଡ଼ଙ୍ଗ ଚିହ୍ନଟ ହୋଇଥିଲା ଯାହା ଭାରତୀୟ ପରିସରର ୨୩ ମିଟର ଭିତରକୁ ରହିଥିଲା। ସେହିପରି ୨୦୧୨ ମସିହା ଜୁଲାଇ ମାସରେ ମଧ୍ୟ ସାମ୍ବା ସେକ୍ଟରରେ ବିଏସଏଫ୍‌ ୪୦୦ ମିଟର ଲମ୍ବର ଏକ ସୀମାପାର ସୁଡ଼ଙ୍ଗ ଚିହ୍ନଟ କରିଥିଲା।

ସମ୍ବନ୍ଧିତ ଖବର