ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ବିଚାରପତିମାନେ ନିର୍ବାଚିତ ପ୍ରତିନିଧି ହୋଇ ନଥିଲେ ମଧ୍ୟ ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଟେକ୍ନୋଲୋଜି ସହିତ ଦ୍ରୁତ ଗତିରେ ବଦଳୁଥିବା ସମାଜର ବିକାଶରେ ନ୍ୟାୟପାଳିକାର ସ୍ଥିର ପ୍ରଭାବ ରହିଛି।
ବିଚାରପତିମାନେ କାର୍ଯ୍ୟନିର୍ବାହୀ କ୍ଷେତ୍ରରେ ପ୍ରବେଶ କରିବା ଉଚିତ ନୁହେଁ ବୋଲି ସାଧାରଣରେ ହେଉଥିବା ସମାଲୋଚନାର ଜବାବ ଦେଇ ସେ ଏହା କହିଛନ୍ତି। ୱାଶିଂଟନର ଜର୍ଜଟାଉନ୍ ୟୁନିଭର୍ସିଟି ଲ’ ସେଣ୍ଟର ଏବଂ ନୂଆଦିଲ୍ଲୀର ସୋସାଇଟି ଫର୍ ଡେମୋକ୍ରାଟିକ୍ ରାଇଟ୍ସ (ଏସ୍ଡିଆର) ମିଳିତ ଆନୁକୂଲ୍ୟରେ ଆୟୋଜିତ ତୃତୀୟ ତୁଳନାତ୍ମକ ସାମ୍ବିଧାନିକ ଆଇନ ଆଲୋଚନାରେ ‘ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟର ଦୃଷ୍ଟିକୋଣ’ ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ଅବସରରେ ସେ ଏହା କହିଛନ୍ତି।
‘ମୁଁ ବିଶ୍ୱାସ କରେ ଯେ ଆମେ ନିର୍ବାଚିତ ପ୍ରତିନିଧି ହୋଇ ନଥିଲେ ମଧ୍ୟ ବିଚାରପତିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆମେ ପ୍ରତି ପାଞ୍ଚ ବର୍ଷରେ ଲୋକଙ୍କ ପାଖକୁ ଭୋଟ ମାଗିବାକୁ ଯାଉନାହୁଁ। କିନ୍ତୁ ଏହାର ଏକ କାରଣ ରହିଛି; ମୁଁ ବିଶ୍ୱାସ କରେ ଯେ ନ୍ୟାୟପାଳିକା ସେହି ଦୃଷ୍ଟିରୁ ଆମ ସମାଜର ବିକାଶରେ ଏକ ସ୍ଥିର ପ୍ରଭାବ ପକାଇଥାଏ।
‘ମୁଁ ବିଶ୍ୱାସ କରେ ଯେ ଆମର ନିଜ ସଭ୍ୟତା, ଆମ ନିଜ ସଂସ୍କୃତିର ସାମଗ୍ରିକ ସ୍ଥିରତା, ବିଶେଷକରି ଭାରତ ଭଳି ଏକ ବହୁଗୋଷ୍ଠୀ ସମାଜ ପରିପ୍ରେକ୍ଷୀରେ ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।’ ସାଂସ୍କୃତିକ ଓ ସାମାଜିକ ପୃଷ୍ଠଭୂମିର ଏକ ଅଂଶ ଭାବରେ ପ୍ରଧାନ ବିଚାରପତି କହିଥିଲେ ଯେ ଅଦାଲତ ନାଗରିକ ସମାଜ ଏବଂ ସାମାଜିକ ପରିବର୍ତ୍ତନ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେଣୁ ଲୋକମାନେ କେବଳ ଫଳାଫଳ ପାଇଁ ନୁହେଁ, ସାମ୍ବିଧାନିକ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ୱର ଉତ୍ତୋଳନ ପାଇଁ ଲୋକମାନେ ଅଦାଲତଙ୍କ ଦ୍ୱାରସ୍ଥ ହୁଅନ୍ତି ବୋଲି ସେ କହିଛନ୍ତି।
ଅଦାଲତପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମେ ବିଧାନସଭାର ଭୂମିକା ଗ୍ରହଣ କରୁନାହୁଁ କିମ୍ବା କାର୍ଯ୍ୟନିର୍ବାହୀ ଭୂମିକା ଗ୍ରହଣ କରୁନାହୁଁ।