ନୂଆଦିଲ୍ଲୀ: ଅସ୍ବାଭାବିକ ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତ ପ୍ରତି ବିପଦ ଦେଖାଦେଇଛି। ଦେଶକୁ ଭୟଙ୍କର ଗ୍ରୀଷ୍ମ ଲହରି ମାଡ଼ିଆସିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଯଦି ବିଶ୍ବ ତାପମାତ୍ରା ୨ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧିପାଏ, ତେବେ ଭାରତ ୨୦୧୫ ଭଳି ପରିସ୍ଥିତିର ସାମ୍ନା କରିବ। ଗ୍ରୀଷ୍ମ ଲହରି ଯୋଗୁ ଅନେକ ଲୋକ ପ୍ରାଣ ହରାଇବେ ଏବଂ ମରୁଡ଼ି ଭଳି ପରିସ୍ଥିତି ଦେଖାଦେବ। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ସତର୍କବାଣୀ କରାଯାଇଛି।
୨୦୧୫ରେ ଭାରତରେ ପ୍ରବଳ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଥିଲା। ଏହାଯୋଗୁ ୨,୫୦୦ ଲୋକ ପ୍ରାଣ ହରାଇଥିଲେ। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃସରକାରୀ କମିଟି (ଆଇପିସିସି) ପକ୍ଷରୁ ସୋମବାର ପ୍ରକାଶିତ ଏକ ରିପୋର୍ଟରେ ଭାରତ ପାଇଁ ଏଭଳି ସତର୍କବାଣୀ କରାଯାଇଛି। ୟୁନିଭର୍ସିଟି ଅଫ୍ ୱାସିଂଟନ୍ର ବିଶେଷଜ୍ଞ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଭିଜ୍ଞସମ୍ପନ୍ନ ଅଧିକାରୀ ଏବଂ ପାଣିପାଗ ବିଶେଷଜ୍ଞଙ୍କ ଗବେଷଣାତ୍ମକ ରିପୋର୍ଟକୁ ଏକଜୁଟ କରାଯାଇ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ ବିଶ୍ବ ତାପମାତ୍ରା ୨ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇଲେ ଭାରତ ଓ ପାକିସ୍ତାନ ଅଧିକ ପ୍ରଭାବିତ ହେବେ। ଏହାଦ୍ବାରା ଗ୍ରୀଷ୍ମ ଲହରି ମାଡ଼ି ଆସିବ। ଫଳରେ କେତେକ ସ୍ଥାନରେ ମରୁଡ଼ି ପରିସ୍ଥିତି ଉପୁଜିବ ଏବଂ ଅନେକ ଲୋକ ପ୍ରାଣ ହରାଇବେ।
ପାଣିପାଗରେ ଏଭଳି ଅସ୍ବାଭାବିକ ପରିବର୍ତ୍ତନ ଯୋଗୁ ମରୁଡ଼ି ବ୍ୟତୀତ ଲୋକମାନେ ନାନା ରୋଗର ଶିକାର ହେବେ। ଏହାଦ୍ବାରା କିଛି ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନଙ୍କୁ ସେମାନଙ୍କ ଭିଟାମାଟି ଛାଡ଼ିବାକୁ ପଡ଼ିପାରେ। ରିପୋର୍ଟରେ ଦର୍ଶାଯାଇଛି ଯେ ପୃଥିବୀର ଭୂପୃଷ୍ଠ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଇଛି। ଏହାଦ୍ବାରା ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ରହିବା ଫଳରେ ଭୟଙ୍କର ସାମୁଦ୍ରିକ ଝଡ଼, ବନ୍ୟା ଏବଂ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ। ଭୂପୃଷ୍ଠ ତାପମାତ୍ରା ଆଗକୁ ୩ରୁ ୪ ଡିଗ୍ରୀ ବୃଦ୍ଧି ଆଡ଼କୁ ଅଗ୍ରସର ହେଉଛି। ଏହାଦ୍ବାରା ସମଗ୍ର ବିଶ୍ବ ପ୍ରଭାବିତ ହେବ ବୋଲି ରିପୋର୍ଟ ସତର୍କ କରାଇ ଦେଇଛି। ବର୍ତ୍ତମାନ ସବୁଜଗୃହ ଗ୍ୟାସ୍ ନିର୍ଗମନ ମାତ୍ରା ଯେଉଁ ସ୍ତରରେ ରହିଛି, ସେ ଦୃଷ୍ଟିରୁ ୨୦୩୦ରୁ ୨୦୫୨ ମଧ୍ୟରେ ଭୂପୃଷ୍ଠ ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇବ। ୨୦୧୫ରେ ହୋଇଥିବା ପ୍ୟାରିସ୍ ଚୁକ୍ତି ପୂର୍ବରୁ ବିଶ୍ବ ତାପମାତ୍ରା ୨ ଡିଗ୍ରୀ ସ୍ତରରେ ରହିଲେ ବିଶ୍ବ ପାଇଁ ପ୍ରଭୂତ ବିପଦ ମାଡ଼ି ଆସିବ ବୋଲି କୁହାଯାଇଥିଲା। ଆଇପିସିସି ରିପୋର୍ଟ ଦର୍ଶାଇଛି ଯେ ବିଶ୍ବତାପନ ପ୍ରଭାବ ପୂର୍ବାପେକ୍ଷା ଅଧିକ ଅନିଷ୍ଟକାରୀ ହୋଇଛି। ୧୮୦୦ ମଧ୍ୟଭାଗରେ ତାପମାତ୍ରା ୧ ଡିଗ୍ରୀ ବୃଦ୍ଧି ପାଇଥିଲା। ଏହି ସମୟରେ ଅନେକ କଳକାରଖାନା ଗଢ଼ିଉଠିବା ଯୋଗୁ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ବୃଦ୍ଧି ପାଇଥିଲା। ରିପୋର୍ଟ ଦର୍ଶାଇଛି ୨୦୩୦ରୁ ୨୦୫୨ ମଧ୍ୟରେ ବିଶ୍ବ ତାପମାତ୍ରା ୧.୫ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇବା ଦ୍ବାରା ଅନେକ ଜଳବାୟୁ ଜନିତ ସମସ୍ୟା ଦେଖାଦେବ।
ଜାତିସଂଘର ସତର୍କବାଣୀ:ଭାରତ ପାଇଁ ଭୟ ଗ୍ରୀଷ୍ମ ଲହରି!
O୨୦୧୫ ଭଳି ହେବ ପରିସ୍ଥିତି Oବିଶ୍ବ ତାପମାତ୍ରା ୧.୫ ଡିଗ୍ରୀ ବଢ଼ିବ
/sambad/media/post_attachments/wp-content/uploads/2018/10/loo.jpg)
/sambad/media/agency_attachments/2024-07-24t043029592z-sambad-original.webp)