ଅବିଶ୍ୱସ୍ତ ସ୍ୱାମୀଙ୍କ ପରି ଦଣ୍ଡିତ ହୋଇ ପାରନ୍ତି ଅବିଶ୍ୱସ୍ତା ପତ୍ନୀ

ନୂଆଦିଲ୍ଲୀ: କେବଳ ପୁରୁଷ ନୁହନ୍ତି। ଅବୈଧ ସମ୍ପର୍କ ନିମନ୍ତେ ଖୁବ୍‌ ଶୀଘ୍ର ମହିଳାମାନେ ମଧ୍ୟ ବିଚାରର ସମ୍ମୁଖୀନ ହୋଇ ପାରନ୍ତି। ଅବୈଧ ସମ୍ପର୍କ ନିମନ୍ତେ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୪୯୭ରେ ଥିବା ବ୍ୟବସ୍ଥାକୁ ସମୀକ୍ଷା କରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏବେ ଏହି ବ୍ୟବସ୍ଥା ଆଧାରରେ ଅବୈଧ ସମ୍ପର୍କ ରଖୁଥିବା ପୁରୁଷମାନଙ୍କୁ ଦୋଷୀ ଏବଂ ବିବାହିତା ମହିଳାମାନଙ୍କୁ ପୀଡ଼ିତା ବୋଲି ବିବେଚନା କରାଯାଉଛି। ଏହାକୁ ଉଚ୍ଛେଦ କିଂବା ପରିବର୍ତ୍ତନ କରାଯିବା ଆବଶ୍ୟକ।

ଏହି ଧାରା ଉପରେ ଇତାଲିରେ ବସବାସ କରୁଥିବା ଜୋସେଫ ସାଇନ୍‌ ନାମକ ଜଣେ ଭାରତୀୟ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଜନସ୍ୱାର୍ଥ ମାମଲା ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିଲେ। ଏ ଭଳି ଅପରାଧକୁ ଲିଙ୍ଗ-ନିରପେକ୍ଷ କରାଇବାରେ କେନ୍ଦ୍ର ସରକାରଙ୍କର ମତ ଲୋଡ଼ିଥିଲେ ଖଣ୍ଡପୀଠ। ଚାରି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ନିଜର ମତ ଉପସ୍ଥାପନ କରିବାକୁ ଖଣ୍ଡପୀଠ ସମୟ ଦେଇଛନ୍ତି।

Image Courtesy of TOI

ସମ୍ପ୍ରତି ସ୍ୱାମୀଙ୍କ ବିନା ସମ୍ମତିରେ ପର ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖୁଥିବା ବିବାହିତ ପୁରୁଷମାନଙ୍କୁ ଦଣ୍ଡିତ କରାଯାଉଛି।
ଅନୈତିକ ସମ୍ପର୍କକୁ ଆଧାର କରି ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ କେବଳ ଛାଡ଼ପତ୍ର ଦେଇ ପାରିବେ। କିନ୍ତୁ, ପତ୍ନୀଙ୍କ ବିରୋଧରେ କୌଣସି ଦଣ୍ଡ ବିଧାନ ବ୍ୟବସ୍ଥା ନାହିଁ।

ଅସାମ୍ବିଧାନିକ, ବିଦ୍ୱେଷଜନକ, ଅନ୍ୟାୟ, ବେଆଇନ୍‌ ଓ ସ୍ୱେଚ୍ଛାଚାରୀ ଏବଂ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଥିବାରୁ ଭାରତୀୟ ପିଙ୍ଗଳ କୋଡ୍‌, ୧୮୬୦ର ଧାରା ୪୯୭କୁ ବାଦ ଦିଆଯାଉ। ୧୯୮୫ରେ ମଧ୍ୟ ସୁପ୍ରିମ୍‌ କୋର୍ଟ ରାୟ ଦେଇଥିଲେ ଯେ ପୁରଷ ହିଁ ପ୍ରଲୋଭିତ କରେ, ନାରୀ ନୁହେଁ। ଏହି ମନ୍ତବ୍ୟ ବିଜ୍ଞତାପୂର୍ଣ୍ଣ ନୁହେଁ। କେବଳ ପୁରୁଷମାନେ ଅବୈଧ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ କଥାଟି ଭୁଲ୍‌ ପରିକଳ୍ପନା ଆଧାରିତ ବୋଲି ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ କରାଯାଇଛି।

ବିଚାରରେ ସମ୍ମୁଖୀନ ହେଉଥିବା ମହିଳାଙ୍କୁ ଛାଡ଼ କରାଯିବା ବ୍ୟବସ୍ଥା ବିଦ୍ୱେଷାତ୍ମକ ବୋଲି ସାଇନ୍‌ଙ୍କ ଓକିଲ ସୁନ୍ଦରମ୍‌ ପିଟିସନ୍‌ରେ ଯୁକ୍ତି ବାଢ଼ିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଅବୈଧ ଶାରୀରିକ ସମ୍ପର୍କ ଉଭୟ ପୁରୁଷ ଓ ନାରୀମାନଙ୍କ ଦ୍ୱାରା ହେଉଥିଲେ ମଧ୍ୟ ଧାରା ୪୯୭ ମହିଳାମାନଙ୍କୁ ଆଶ୍ୱସ୍ତି ଦେଉଛି। କେବଳ ଗୋଟିଏ ପକ୍ଷ ଅପରାଧୀ ବୋଲି ବିବେଚିତ ହେଉଛି।


ସମ୍ବିଧାନ ପୁରୁଷ ଏବଂ ମହିଳାଙ୍କୁ ସମାନ ମାନ୍ୟତା ଦେଉଛି। ସବୁ କ୍ଷେତ୍ରରେ ମହିଳା ତାଙ୍କ ସ୍ୱାମୀଙ୍କ ସମକକ୍ଷ ବୋଲି ହୃଦୟଙ୍ଗମ କରିବାର ସମୟ ଉପସ୍ଥିତ। ଏହି ଦଣ୍ଡ ବ୍ୟବସ୍ଥାଟି ଅତି ପୁରାତନ ମନେ ହେଉଛି। ସମାଜ ଅଗ୍ରଗତି କରିବା ସହ ଅଧିକାର ମିଳୁଥିବା ବେଳେ ନୂତନ ପୀଢ଼ିର ଭାବନା ଜାଗରୁକ ହେଉଛି। ସେଥିପାଇଁ ଆମେ ସରକାରଙ୍କୁ ନୋଟିସ୍‌ ଜାରି କରୁଛୁ।

ଆଇପିଏଲ୍‌ ଆହୁରି ମଧ୍ୟ ଦର୍ଶାଇଛି ଯେ ୪୨ଶ ଲ’ କମିସନ୍‌ ରିପୋର୍ଟ ଭାରତୀୟ ପିଙ୍ଗଳ କୋର୍ଡର କେତେଗୁଡ଼ିଏ ବ୍ୟବସ୍ଥାକୁ ସମୀକ୍ଷା କରି ଉଲ୍ଲେଖ ଯୋଗ୍ୟ ସୁପାରିସ କରିଥିଲା। ସେଥିରୁ ଗୋଟିଏ ହେଉଛି ବିଚାରର ସମ୍ମୁଖୀନ ହେବାକୁ ମହିଳାଙ୍କୁ ଛାଡ଼ କରାଯାଇଥିବା ବ୍ୟବସ୍ଥାର ଉଚ୍ଛେଦ ଏବଂ ଅପରାଧ ପାଇଁ ଦଣ୍ଡ ବିଧାନକୁ ୫ ବର୍ଷରୁ ୨ ବର୍ଷକୁ କମାଇ ଦେବା।

ସମ୍ବନ୍ଧିତ ଖବର