କୋଲକାତା ବିମାନ ବନ୍ଦରରେ ଅଭାବନୀୟ ଘଟଣା: ୯୦ ମିନିଟ୍‌ ଧରି ୧୧ଟି ବିମାନ ଅବତରଣ କରିପାରିଲାନି

କ୍ରସ୍‌ୱିଣ୍ଡ୍‌ ଯୋଗୁଁ ୯ ବିମାନର ଗତିପଥ ବଦଳିଲା, ଇଣ୍ଡିଗୋ ବିମାନରୁ ଧୂଆଁ ବାହାରିବା ପରେ ଜରୁରୀ ଅବତରଣ

କୋଲକାତା : କୋଲାକାତା ବିମାନ ବନ୍ଦରରେ ଶୁକ୍ରବାର ଏକ ଅଭାନୀୟ ଘଟଣାରେ ପ୍ରାୟ ଦେଢ଼ ଘଣ୍ଟା ଧରି ୧୧ଟି ବିମାନ ଅବତରଣ କରି ନପାରିବାରୁ ଯାତ୍ରୀମାନେ ଭୀଷଣ ଆତଙ୍କିତ ହୋଇପଡ଼ିଥିଲେ। ପ୍ରବଳ ପ୍ରତିକୂଳ ବାୟୁ ପ୍ରବାହ ଯୋଗୁଁ ସନ୍ଧ୍ୟା ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ବିମାନଗୁଡ଼ିକ ଅବତରଣ କରିନପାରି କେବଳ ଚକ୍କର କାଟିଥିଲା। ୧୧ ଜଣ ପାଇଲଟ୍‌ ବିମାନକୁ ରନ୍‌ୱେରେ ଅବତରଣ କରିବା ପାଇଁ ପ୍ରଚେଷ୍ଟା କରିଥିଲେ କିନ୍ତୁ ପୁଣି ପବନର ଗତି ଅନୁକୂଳ ନହେବାରୁ ଅଧିକ ସମୟ ଚକ୍କର କାଟିବାକୁ ପଡ଼ିଥିଲା। ବିମାନ ଅବତରଣ କିମ୍ବା ଉଡ଼ାଣ ଆରମ୍ଭ ସମୟରେ ପାର୍ଶ୍ବରୁ ପ୍ରବାହିତ ବାୟୁକୁ କ୍ରସ୍‌ୱିଣ୍ଡ୍‌ କୁହାଯାଏ । ଏହି ପବନ ବିମାନକୁ ଅବତରଣ ସମୟରେ ରନୱେରୁ ଅଲଗା କରିଦେଇପାରେ ଯେଉଁଥିରେ ବଡ଼ ଦୁର୍ଘଟଣା ଭୟ ଥାଏ। ଶୁକ୍ରବାର ସନ୍ଧ୍ୟାରେ ୧୧ଟି ବିମାନ ୧୬ ଥର ରନୱେରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ କ୍ରସ୍‌ୱିଣ୍ଡ୍‌କୁ ଦେଖି ସମସ୍ତ ବିମାନ କେବଳ ଚକ୍କର କାଟି ପରିସ୍ଥିତି ସୁଧୁରିବାକୁ ଅପେକ୍ଷା କରିଥିଲେ । ଏଥିରୁ ୯ଟି ବିମାନକୁ ଅନ୍ୟ ବିମାନ ବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପାଣିପାଗ ବିଭାଗ ପ୍ରତିକୂଳ ବାୟୁ ପ୍ରବାହ ନେଇ ସତର୍କ କରାଇଥିଲେ ମଧ୍ୟ ଅବତରଣ ପୂର୍ବରୁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡ଼ିବ ବୋଲି କେହି ଚିନ୍ତା କରିନଥିଲେ। ପ୍ରାୟ ୯୦ ମିନିଟ୍‌ ଧରି ପ୍ରତିକୂଳ ବାୟୁର ପ୍ରଭାବ କାଏମ ରହିବାରୁ ବିମାନଗୁଡ଼ିକ ଅବତରଣ କରିପାରିନଥିଲା।

ସେହିପରି ରବିବାର ଦିନ ଅନ୍ୟ ଏକ ଘଟଣାରେ ଏକ ଇଣ୍ଡିଗୋ ବିମାନରେ ଅବତରଣ ପୂର୍ବରୁ ଧୂଆଁ ବାହାରିବାରୁ ପାଇଲଟ୍‌ ଏହାକୁ କୋଲକାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇଥିଲେ। ଦିଲ୍ଲୀରୁ କୋଲକାତା ଯାଉଥିବା ବିମାନ ୬ଇ-୨୫୧୩ ବିମାନର କାର୍ଗୋ ରହଣି ସ୍ଥଳରୁ ଧୂଆଁ ବାହାରିବା ଜଣାପଡ଼ିବା ମାତ୍ରେ ପାଇଲଟ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ ଏବଂ କୋଲକାତା ଏଟିସି ଅବତରଣ ପାଇଁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର