ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଦେଶରେ ଶାନ୍ତି ରକ୍ଷା କରିବାବେଳେ ସହିଦ ହୋଇଥିବା ଜାତିସଂଘର ଶାନ୍ତିରକ୍ଷକମାନଙ୍କୁ ସମ୍ମାନ ଜଣାଇ ଜାତିସଂଘ ମୁଖ୍ୟାଳୟରେ ଏକ ସ୍ମାରକୀ ସ୍ମାରକ ସ୍ଥାପନ ପାଇଁ ଭାରତ ଆଣିଥିବା ଏକ ଚିଠା ପ୍ରସ୍ତାବକୁ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ସର୍ବସମ୍ମତିକ୍ରମେ ଗୃହୀତ କରିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ବୁଧବାର ୟୁଏନଜିଏରେ 'ସହିଦ ଜାତିସଂଘ ଶାନ୍ତିରକ୍ଷୀଙ୍କ ସ୍ମାରକୀ ପ୍ରାଚୀର' ଶୀର୍ଷକ ଏକ ଚିଠା ସଂକଳ୍ପ ଉପସ୍ଥାପନ କରିଥିଲେ । ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଆମେରିକା ଗସ୍ତରେ ଆସୁଥିବା ବେଳେ ତା ପୂର୍ବରୁ ଜାତିସଂଘର ବିଶ୍ୱ ପ୍ରାୟ ୧୯୦ ଟି ସଦସ୍ୟ ଦେଶ ମିଳିତ ଭାବେ ଏହି ସଂକଳ୍ପ ପାରିତ କରିଛନ୍ତି ।

Advertisment

ମୋଦୀ ସେ ଜୁନ୍ ୨୧ ରେ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ମଧ୍ୟ ଯୋଗ ଦେବେ। ଜାତିସଂଘରେ ଆଗତ ପ୍ରସ୍ତାବରେ କୁହାଯାଇଛି ଯେ, ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟର ଏକ ଉପଯୁକ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସହିଦ ଶାନ୍ତିରକ୍ଷୀଙ୍କ ସ୍ମୃତିରେ ଏକ ସ୍ମାରକୀ ପ୍ରାଚୀର ପ୍ରତିଷ୍ଠା ପ୍ରକ୍ରିୟା ଉପରେ ବିଚାର କରାଯିବ ଏବଂ ସେଥିରେ ସହିଦ ଶାନ୍ତିରକ୍ଷକ ସୈନିକଙ୍କ ନାମ ଲିପିବନ୍ଧ ରହିବ ।

ଏହି ପ୍ରସ୍ତାବ ଆଗତ କରି ରୁଚିରା କମ୍ବୋଜ କହିଛନ୍ତି ଯେ ଏହି ପ୍ରସ୍ତାବକୁ ସବୁ ଦେଶ ସମର୍ଥନ ମିଳିବା ପ୍ରମାଣିତ କରୁଛି ଯେ ଜାତିସଂଘ ନିଜର ଶାନ୍ତିରକ୍ଷକମାନଙ୍କୁ କେତେକ ଗୁରୁତ୍ବ ଦେଉଛି ।