ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଜରୁରୀ ବୈଠକ, ଅସ୍ତ୍ରବିରତି ପାଇଁ ଆହ୍ବାନ

ନୂଆଦିଲ୍ଲୀ : ୟୁକ୍ରେନ ସଂକଟ ଉପରେ ମିଳିତ ଜାତିସଂଘ ସାଧାରଣ ପରିଷଦର ଏକ ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ ଜାତିସଂଘରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ଯୁଦ୍ଧ ଯୋଗୁଁ ଉଭୟ ପକ୍ଷର ବ୍ୟାପକ କ୍ଷତି ହୋଇଛି । ରୁଷିଆର ହଜାର ହଜାର ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ଏଣୁ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଃସର୍ତ୍ତ ସୈନ୍ୟ ପ୍ରତ୍ୟାହାର କରୁ । ଏହା ସହିତ ଅନ୍ତର୍ଜାତୀୟ ମାନବ ଅଧିକାର ଆଇନର ପାଳନ କରୁ ।

ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ବାନ ଜଣାଇଛି ଜାତିସଂଘ ସାଧାରଣ ପରିଷଦ । ଜାତିଂସଘ ମହାସଚିବ ଆଣ୍ଟୋନିଓ ଗୁଏଟାରେସ କହିଛନ୍ତି ୟୁକ୍ରେନକୁ ସବୁ ପ୍ରକାରର ମାନବୀୟ ସହାୟତା ପ୍ରଦାନ କରାଯିବ । ମାନବୀୟ ସହାୟତା ହିଁ ଏକମାତ୍ର ସମାଧାନ ରହିଛି ।

ଅନ୍ୟପକ୍ଷରେ ୟୁକ୍ରେନ-ବେଲାରୁଷ୍ ସୀମା ନିକଟରେ ଥିବା ପ୍ରିପାଟ୍ ନଦୀ ନିକଟରେ ୟୁକ୍ରେନ ଓ ରୁଷିଆ  ମଧ୍ୟରେ ଆଲୋଚନା ଜାରି ରହିଛି । ଏହି ଆଲୋଚନା ବେଳେ ୟୁକ୍ରେନ ପକ୍ଷରୁ କେତେକ ଦାବି ରଖାଯାଇଛି । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ଦାବି ହେଉଛି ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରୁ ଓ ନିଜର ସୈନ୍ୟମାନଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରୁ ।

ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ରୁଷିଆର ସୁରକ୍ଷା ଚିନ୍ତାଗୁଡ଼ିକ ଦୂର ହେଲେ ହିଁ ୟୁକ୍ରେନ ସଂକଟର ସ୍ଥାୟୀ ସମାଧାନ ହୋଇପାରିବ ।

ସମ୍ବନ୍ଧିତ ଖବର