ଧାର୍ମିକ ଉଦ୍ଦେଶ୍ୟରେ ହେଉଥିଲେ ମଧ୍ୟ ଅସ୍ୱାସ୍ଥ୍ୟକର, ଅବୈଜ୍ଞାନିକ ପଶୁ ବଳି ପ୍ରଥାକୁ ବନ୍ଦ କରିବା ଦରକାର: କେରଳ ହାଇକୋର୍ଟ

କୋଚି: ଧାର୍ମିକ ଉଦ୍ଦେଶ୍ୟରେ କରାଯାଉଥିଲେ ମଧ୍ୟ ପଶୁ ବଳି ପରି ଅସ୍ୱାସ୍ଥ୍ୟକର, ଅବୈଜ୍ଞାନିକ ପ୍ରଥାକୁ ବନ୍ଦ କରାଯିବା ଦରକାର ବୋଲି କେରଳ ହାଇକୋର୍ଟ କହିଛନ୍ତି।

ନିଜ ଧାର୍ମିକ ବିଶ୍ୱାସର ଏକ ଅଂଶ ଭାବେ ପଶୁ ବଳି ଏକ ଅତ୍ୟାବଶ୍ୟକ ଏବଂ ଅବିଚ୍ଛେଦ୍ୟ ଅଂଶ ଏବଂ ତେଣୁ ଏଥିରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ହେଉଥିବା ଯୁକ୍ତିକୁ ଅଗ୍ରାହ୍ୟ କରି କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭିଜି ଅରୁଣଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ କହିଛନ୍ତି ଯେ ଧାର୍ମିକ ଉଦ୍ଦେଶ୍ୟରେ ହେଉଥିଲେ ମଧ୍ୟ ସଂପୂର୍ଣ୍ଣ ଅସ୍ୱାସ୍ଥ୍ୟକର ଓ ଅବୈଜ୍ଞାନିକ ଭାବେ କରାଯାଉଥିବା ଏହି ପ୍ରଥାକୁ ବନ୍ଦ କରାଯିବା ଦରକାର। ଏହା ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରେ, ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ ବୋଲି କହିଛନ୍ତି କେରଳ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ।

ଏପ୍ରସଙ୍ଗରେ ଡକ୍ଟର ବିଆର ଆମ୍ବେଦକରଙ୍କ ଏକ ଉକ୍ତିକୁ ଉଦ୍ଧାର କରି ଜଷ୍ଟିସ୍‌ ଭିଜି ଅରୁଣ କହିଛନ୍ତି ଯେ ଆମ୍ବେଦକର କହିଥିଲେ, ପ୍ରକୃତ ଧାର୍ମିକ ପ୍ରଥା ଧର୍ମ ଦ୍ୱାରା ପରିଚାଳିତ ହେବା ଉଚିତ୍‌। ଅନ୍ଧ ଭାବେ ପରମ୍ପରାକୁ ପାଳନ କରିବା ପରିବର୍ତ୍ତେ ଯୁକ୍ତି ସମ୍ମତ୍ତ, ସମାନତା ଓ ମାନବିକତାବାଦୀ ମୂଲ୍ୟବୋଧ ଆଧାରରେ ପରମ୍ପରାର ପାଳନ କରିବା ଉଚିତ। ତେଣୁ ଧର୍ମ ଓ ପ୍ରଥାର ଦ୍ୱାହିରେ ହେଉଥିବା ସବୁ ଅସ୍ୱାସ୍ଥ୍ୟକର, ଅବୈଜ୍ଞାନିକ ଏବଂ କ୍ଷତିକାରକ ରୀତିନୀତିକୁ ରୋକିବାକୁ ହେବ। ଏକ ରିଟ୍‌ ପିଟିସନର ଶୁଣାଣି କାଳରେ ଅଦାଲତ ଏହି ମନ୍ତବ୍ୟ ଦେଇଛନ୍ତି।

ମେ’ ୨୪ ତାରିଖରେ ଜାରି ହୋଇଥିବା ରାୟରେ ଅଦାଲତ ଆହୁରି ମଧ୍ୟ କହିଛନ୍ତି, ସମ୍ବିଧାନର ଧାରା ୨୫ ଅଧୀନରେ ଥିବା ଅଧିକାରଗୁଡ଼ିକର ଉପଯୁକ୍ତ ବୁଝାମଣା ଏବଂ ଧାରା ୨୧ ଅନୁଯାୟୀ ସ୍ୱାଧୀନତାକୁ ସୁନିଶ୍ଚିତ, କରିବା ଯୁକ୍ତିରେ ପଶୁ ବଳି ପ୍ରଥାର ଏକ ଅତ୍ୟାବଶ୍ୟକ ଏବଂ ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଥାଏ! ଏପ୍ରସଙ୍ଗରେ କାହାର ଧାର୍ମିକ ବିଶ୍ୱାସ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ। ତେବେ, ଯଦି ଏହା ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରେ, ତେବେ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ।

ଶତାବ୍ଦୀ ପୁରାତନ ଇତିହାସ ଓ ସଂସ୍କୃତିରେ ସମୃଦ୍ଧ ଥିବା ଭାରତ ସତୀପ୍ରଥା, ମାନବ ବଳିଦାନ, ବାଲ୍ୟ ବିବାହ ଭଳି ବହୁ ଆପତ୍ତିଜନକ ରୀତିନୀତି ଓ ପରମ୍ପରାକୁ ନିଷେଧ କରିବା ପାଇଁ ମଧ୍ୟ ଆଇନ ଆଣିଛି; ଏହାକୁ କେହି ଭୁଲିଯିବା ଉଚିତ ନୁହେଁ।

ସମ୍ବନ୍ଧିତ ଖବର