ଜୁବୈର ଗିରଫଦାରି ପ୍ରସଙ୍ଗରେ ଜର୍ମାନିର ମନ୍ତବ୍ୟକୁ ଭାରତର ବିରୋଧ

ନୂଆଦିଲ୍ଲୀ : ଅଲଟନ୍ୟୁଜ ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଗିରଫଦାରି ପ୍ରସଙ୍ଗରେ ଜର୍ମାନି ଦେଇଥିବା ବୟାନକୁ ବିରୋଧ କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଏହା ଏହା ଏକ ବିଚାରାଧୀନ ମାମଲା ଓ ଏ ସଂପର୍କରେ ମନ୍ତବ୍ୟ ଦେବା ଠିକ ନୁହେଁ । ଭାରତର ନ୍ୟାୟପାଳିକାର ନିରପେକ୍ଷତା ବିଶ୍ବବିଦିତ । ଏଣୁ ଏ ପ୍ରସଙ୍ଗରେ ଠିକଭାବେ ନଜାଣି ମନ୍ତବ୍ୟ ଦିଆଯିବା ଠିକ ନୁହେଁ ।

ଏହା ପୂର୍ବରୁ ଜର୍ମାନୀର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଭାରତ ନିଜକୁ ବିଶ୍ବର ବୃହତ୍ତମ ଗଣତନ୍ତ୍ର କହୁଥିବାବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧ ଯେପରିକି ମତପ୍ରକାଶ କରିବାର ସ୍ବାଧୀନତାକୁ ସମ୍ମାନ ଦେବା ଆବଶ୍ୟକ ।

ଗତ ଜୁନ ୨୭ରେ ମହମ୍ମଦ ଜୁବୈରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା । ଏକ ପୁରୁଣା ସୋସିଆଲ ମିଡିଆ ପୋଷ୍ଟରେ ହିନ୍ଦୁ ଧର୍ମ ପ୍ରତି ଅପମାନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ଦ୍ବାରା ବିବାଦୀୟ ଇସଲାମ ବିରୋଧୀ ବୟାନ ସଂପର୍କରେ ସେ ପ୍ରଥମ ଟୁଇଟ କରିବା ପରେ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ତାହା ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଯାଇଥିଲା । ପରେ ଏହାକୁ ନେଇ ଭାରତରେ ମଧ୍ୟ ସାଂପ୍ରଦାୟିକ ହିଂସା ଦେଖାଯାଇଥିଲା ।

 

 

ସମ୍ବନ୍ଧିତ ଖବର