ଜମ୍ମୁ-କଶ୍ମୀର : ହେଡ୍‌ କନଷ୍ଟେବଲ୍‌ଙ୍କ ଘରେ ପଶି ଏକେ-୪୭ ରାଇଫଲ୍‌ ନେଇ ଦଉଡ଼ି ପଳାଇଲା ଅଜଣା ବ୍ୟକ୍ତି

ଶ୍ରୀନଗର: ଜମ୍ମୁ-କଶ୍ମୀରର ଖିସ୍ତଓ୍ଵାରଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜମ୍ମୁ-କଶ୍ମୀର ପୁଲିସ୍‌ର ହେଡ୍‌ କନ୍‌ଷ୍ଟେବଲ୍‌ଙ୍କ ଘରେ ଶୁକ୍ରବାର ରାତିରେ ଜଣେ ଅଜଣା ବନ୍ଧୁକଧାରୀ ପଶିଥିବା ସୂଚନା ମିଳିଛି । ଅଜଣା ବ୍ୟକ୍ତି ଜଣକ ହାତରେ ବନ୍ଧୁକ ଧରି ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ। ଧମକ ଦେବାର କିଛି ସମୟ ପରେ ଅଜଣା ବ୍ୟକ୍ତି ଜଣକ କନ୍‌ଷ୍ଟେବଲ୍‌ଙ୍କ ଘରୁ ଏକେ-୪୭ ରାଇଫଲ୍‌ ନେଇ ଦୌଡ଼ି ପଳାଇ ଯାଇଥିବା ଜାଣିବାକୁ ମିଳିଛି। ହେଡ୍‌ କନ୍‌ଷ୍ଟେବଲ୍‌ ଜଣକ ହେଉଛନ୍ତି ଦଲିପ ସିଂହ। ଘଟଣା ଘଟିବା ସମୟରେ ସିଂହ ଘରେ ଥିଲେ। ସିଂହ ତାଙ୍କ ପୁଅ ସହ ଖିସ୍ତଓ୍ଵାର ସେଦି ବଜାର ଅଞ୍ଚଳରେ ଥିବା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ନିକଟରେ ଏକ ଭଡ଼ା ଘରେ ରହନ୍ତି।

ସିଂହ ଖିସ୍ତଓ୍ଵାରର ଡେପୁଟି କମିସନରଙ୍କୁ ତାଙ୍କ ଘରେ ଛାଡ଼ି ରାତିରେ ନିଜ ଘରକୁ ଫେରିଥିଲେ। ରାତି ପ୍ରାୟ ୮.୪୫ ସମୟରେ ବନ୍ଧୁକଧାରୀ ଜଣକ ସିଂହଙ୍କ ଘର କବାଟ ପିଟିଥିବା ସୂଚନା ରହିଛି। ଯେତେବେଳେ ସିଂହଙ୍କ ପୁଅ କବାଟ ଖୋଲିଲେ ଅଜଣା ବ୍ୟକ୍ତି ଜଣକ ଘରକୁ ପଶି ଆସି ସିଂହଙ୍କ ପୁଅ ମୁଣ୍ଡରେ ବନ୍ଧୁକ ରଖିଥିଲା। ତା’ପରେ ସିଂହଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ଦେବା ପାଇଁ ମାଗିଥିଲା। ସିଂହ ମନା କରିବାକୁ ସେ ଘର ଭିତରୁ ସିଂହଙ୍କର ଏକେ-୪୭ ରାଇଫଲ୍‌ ନେଇ ଦଉଡ଼ି ପଳାଇ ଯାଇଥିଲା।

ସମ୍ବନ୍ଧିତ ଖବର