ଗୁଜରାଟରେ ଲାଗୁ ହେବ ସମାନ ନାଗରିକ ସଂହିତା ! ରାଜ୍ୟ ସରକାର ଗଠନ କଲେ କମିଟି

ଗାନ୍ଧୀନଗର : ଆଗକୁ  ବିଧାନସଭା ନିର୍ବାଚନ ଥିବାବେଳେ ରାଜ୍ୟରେ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) କାର୍ଯ୍ୟକାରୀ କରିବା ପାଇଁ ବିଜେପି ନେତୃତ୍ୱାଧୀନ ଗୁଜରାଟ ସରକାର ଶନିବାରଦିନ ଏକ କମିଟି ଗଠନ କରିଛନ୍ତି । ପୂର୍ବରୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଏହି ସଂହିତା କାର୍ଯ୍ୟକାରୀ କରିବାକୁ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଶନିବାରଦିନ ବସିଥିବା ରାଜ୍ୟ  କ୍ୟାବିନେଟ ବୈଠକରେ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

“ଏହି କମିଟିର ଅଧ୍ୟକ୍ଷତା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରିବେ ଏବଂ ଏଥିରେ ତିନିରୁ ଚାରି ଜଣ ସଦସ୍ୟ ରହିବେ ବୋଲି କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି ।

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟୁଇଟର ହାଣ୍ଡଲରେ କୁହାଯାଇଛି ଯେ,  ରାଜ୍ୟରେ ଏକ ୟୁନିଫର୍ମ ସିଭିଲ୍ କୋଡର ଆବଶ୍ୟକତା ଯାଞ୍ଚ କରିବା ଏବଂ ଏହି କୋଡ୍ ପାଇଁ ଏକ ଚିଠା ପ୍ରସ୍ତୁତ କରିବା ପାଇଁ ସୁପ୍ରିମ୍ କୋର୍ଟ/ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଆରମ୍ଭରେ ହୋଇଥିବା ଉତ୍ତରାଖଣ୍ଡ ନିର୍ବାଚନ ପୂର୍ବରୁ ବି ବିଜେପି ପକ୍ଷରୁ ଉକ୍ତ ରାଜ୍ୟରେ ୟୁସିସି ଲାଗୁ ପାଇଁ ଘୋଷଣା କରାଯାଇଥିଲା ଓ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ ।

ସମ୍ବନ୍ଧିତ ଖବର