କେନ୍ଦ୍ର ସରକାରଙ୍କୁ ଆଇନ କମିସନଙ୍କ ଝଟ୍‌କା : ସମାନ ନାଗରିକ ସଂହିତା ଅନାବଶ୍ୟକ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତା ମାମଲାରେ ଆଇନ କମିସନ ସରକାରଙ୍କୁ ଝଟ୍‌କା ଦେଇଛନ୍ତି। ସମାନ ନାଗରିକ ସଂହିତା ଦେଶ ପାଇଁ ଆବଶ୍ୟକ ନାହିଁ ଏବଂ ପର୍ସନାଲ୍‌ ଲ’ରେ କେତେକ ଆସିବା ଉଚିତ ବୋଲି କହିଛନ୍ତି। ଆଇନ କମିସନ ଏ ବାବଦରେ ବିସ୍ତତ ଆଲୋଚନା ପରେ ବିଭିନ୍ନ ଧର୍ମ, ମତ ଏବଂ ଆସ୍ଥାର ନିୟମକୁ ଏକାଠି କରିବା ଏବଂ ଏହାର ସଠିକ୍‌ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଧାର୍ମିକ ନିୟମରେ ସମ୍ପତ୍ତି ବଣ୍ଟନ ଆଇନ ଭଳି ପ୍ରସଙ୍ଗ ନେଇ ଭିନ୍ନ ଭିନ୍ନ ରାୟ ରହିଛି ଏବଂ ଏ କ୍ଷେତ୍ରରେ ସୁଧାର ଦିଗରେ କମିସନ ଗୁରୁତ୍ୱାରୋପ କରିଛନ୍ତି। କମିସନ କହିଛନ୍ତି ଯେ ବିବାହ ଏବଂ ଛାଡ଼ପତ୍ର ଆଇନକୁ ସମସ୍ତ ଧାର୍ମିକ ଆଇନ ସମାନ ଦୃଷ୍ଟିରେ ଦେଖିବା ଆବଶ୍ୟକ। କମିସନ ଆଜି ଏ ବାବଦରେ ୧୮୫ ପୃଷ୍ଠାର ପରାମର୍ଶ ପତ୍ର ଜାରି କରିଛନ୍ତି। ଦେଶରେ ରହିଥିବା ବିଭିନ୍ନତା ଭିତରେ ହିଁ ଏକତା ରହିଛି ଏବଂ ଧର୍ମନିରପେକ୍ଷତା ଏ କ୍ଷେତ୍ରରେ ପ୍ରତିବନ୍ଧକ ସାଜୁନାହିଁ। ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ବିଏସ୍‌ ଚୌହାନଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ କହିଛନ୍ତି ସାଂସ୍କୃତିକ ବିବିଧତାକୁ ନେଇ କୌଣସି ସ୍ଥିତିରେ ସାଲିସ କରାଯିବ ନାହିଁ । ଦେଶ ସବୁ ମାମଲାରେ ଏକଜୁଟ ରହିଛି ଏବଂ କୌଣସି ସମାନ ନାଗରିକ ସଂହିତାର ଭୂମିକା ଏ କ୍ଷେତ୍ରରେ ପ୍ରାୟ କିଛି ନାହିଁ। ମୁସ୍‌୍‌ଲିମ ସଂପ୍ରଦାୟରେ ପ୍ରଚଳିତ ବହୁ ବିବାହ ସଂପର୍କରେ କମିସନ କହିଛନ୍ତି ଯେ ବହୁବିବାହକୁ ଏକ ଅପରାଧ ଭାବେ ନିକାହନାମା ସ୍ପଷ୍ଟ କରିବା ଆବଶ୍ୟକ ଏବଂ ଏହା ସବୁ ସଂପ୍ରଦାୟ ପାଇଁ ଲାଗୁ ହେବା ଉଚିତ। ତିନି ତଲାକକୁ ସୁପ୍ରିମ୍‌ କୋର୍ଟ ବେଆଇନ ଘୋଷଣା କରିଛନ୍ତି । ଏକତରଫା ତଲାକ୍‌କୁ ମହିଳାଙ୍କବିରୋଧରେ ହିଂସା ଓ ଅତ୍ୟାଚାର ଭାବେ ଗ୍ରହଣ କରାଯିବା ଉଚିତ ବୋଲି କମିସନ କହିଛନ୍ତି। ତେବେ କମିସନ ଏ ବାବଦରେ କୌଣସି ଭିନ୍ନ ଆଇନ କଥା ଉଲ୍ଲେଖ କରିନାହାନ୍ତି। ରିପୋର୍ଟରେ ତିନି ତଲାକକୁ ସତୀ ପ୍ରଥା ସହିତ ତୁଳନା କରାଯାଇଛି।

ସମ୍ବନ୍ଧିତ ଖବର