ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକ ବର୍ଷ  ଅନିଚ୍ଛାକୃତ ଆଘାତ କାରଣରୁ ଚାରି ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନିଚ୍ଛାକୃତ ଆଘାତ ନିବାରଣ ଜାତୀୟ ରଣନୀତି ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ରଣନୀତିରେ ମୃତ୍ୟୁହାର ସବୁଠୁ ଅଧିକ ଗମ୍ଭୀର ସ୍ଥିତି ଥିବା ୧୬ଟି ରାଜ୍ୟକୁ ଚିହ୍ନଟ କରିଛନ୍ତି। ଏଥିରେ ଓଡ଼ିଶା ମଧ୍ୟ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲା ରାଜସ୍ଥାନ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୋଆ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ପଣ୍ଡିଚେରୀ, ତାମିଲନାଡ଼ୁ, ଲଦାଖ ଓ ଚଣ୍ଡିଗଡ଼। ଜାତୀୟ ହାର ତୁଳନାରେ ଏହି ସବୁ ରାଜ୍ୟର ମୃତ୍ୟୁହାର ୩୦.୦୧% ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଚିହ୍ନଟ ରାଜ୍ୟମାନଙ୍କରେ ୨୦୩୦ ସୁଦ୍ଧା ଅନିଚ୍ଛାକୃତ ଆଘାତଜନିତ ମୃତ୍ୟୁ ୩୦% ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ରଣନୀତିରେ ରାଜ୍ୟମାନଙ୍କ ସହ ସମନ୍ବୟକୁ ଗୁରୁତ୍ବ ଦିଆଯାଇଛି।

Advertisment

କେନ୍ଦ୍ର ସରକାର ପ୍ରସ୍ତୁତ କଲେ ରଣନୀତି
ରାଜ୍ୟମାନଙ୍କ ସମନ୍ବୟ ଉପରେ ଗୁରୁତ୍ବ

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତୁତ ଜାତୀୟ ନୀତିରେ ଅନିଚ୍ଛାକୃତ ଆଘାତକୁ ସଡକ ଯାତାୟାତ, ପାଣିରେ ବୁଡ଼ିବା, ନିଆଁରେ ପୋଡ଼ିହେବା ତଥା ଉଚ୍ଚସ୍ଥାନରୁ ଖସିପଡ଼ିବା ଭଳି ଚାରି ପ୍ରମୁଖ ବର୍ଗରେ ବିଭକ୍ତ କରାଯାଇଛି। ଏହାର ନିୟନ୍ତ୍ରଣ ପାଇଁ ଲୋକମାନଙ୍କୁ ତିନିଟି ପ୍ରାଥମିକ ଭିତ୍ତିରେ ବିଭକ୍ତ କରାଯାଇଛି। ଯେଉଁଥିରେ ଶ୍ରମିକ, ଶିଶୁ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ସାମିଲ ହୋଇଛନ୍ତି। ରାଜ୍ୟମାନଙ୍କ ପାଇଁ  ଜାରି କରାଯାଇଥିବା ୧୭୪ ପୃଷ୍ଠାର ରିପୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତପ୍ରକାଶ ନଡ୍ଡା କହିଛନ୍ତି, ଭାରତରେ  ଗତ କିଛି ବର୍ଷ ହେଲା  ଅନିଚ୍ଛାକୃତ ଆଘାତରୁ ଧନଜୀବନ ନଷ୍ଟ ହେଉଛି। ଏହାର ନିୟନ୍ତ୍ରଣ ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶ ପରେ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି। ଜାତୀୟ ରଣନୀତିରେ ରାଜ୍ୟମାନଙ୍କୁ ‘ଡେଲିଭରି ସର୍ଭିସ୍‌’ ଉପରେ ଫୋକସ୍‌ ପାଇଁ କୁହାଯାଇଛି। ଭିତ୍ତିଭୂମି ଢାଞ୍ଚାରେ ସୁଧାର କରାଯାଇ ଆଘାତ ପାଇଁ ‘ହେଲଥ୍ କେୟାର’ ଉପରେ ଗୁରୁତ୍ବକୁ କେନ୍ଦ୍ରିତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଉଚ୍ଚ ଗୁଣବତ୍ତା ସହାୟତା ଅନ୍ତର୍ଗତ ମୃତ୍ୟୁର ଆଶଙ୍କା ଅଥବା ଦୀର୍ଘକାଳୀନ ଭିନ୍ନକ୍ଷମତାକୁ ହ୍ରାସ କରାଯାଇପାରିବ ବୋଲି ଜାତୀୟ ରଣନୀତିରେ  ଉଲ୍ଲେଖ ରହିଛି।