କେନ୍ଦ୍ର ବଜେଟ୍‌ ୨୦୨୩-୨୪ : ସବୁଜ ବିକାଶ ଆଡ଼କୁ ଯାତ୍ରା

ନୂଆଦିଲ୍ଲୀ: ୭ଟି ଅଗ୍ରାଧିକାର କ୍ଷେତ୍ରକୁ ନେଇ ବଜେଟ ପ୍ରସ୍ତୁତ ହୋଇଛି। ଏଥିରେ ଗ୍ରିନ୍ ଗ୍ରୋଥ୍ ବା ସବୁଜ ଅଭିବୃଦ୍ଧି ଅନ୍ୟତମ। ୭ଟି ଅଗ୍ରାଧିକାର ମଧ୍ୟରେ ଏହା ପଞ୍ଚମରେ ରହିଛି। ଏଥିରେ ସବୁଜ ହାଇଡ୍ରୋଜେନ ମିସନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷୟ ରହିଛି। ନିକଟରେ ୧୯,୭୦୦ କୋଟି ଟଙ୍କା ବ୍ୟୟରେ ନ୍ୟାସନାଲ ଗ୍ରିନ ହାଇଡ୍ରୋଜେନ ମିସନ ଆରମ୍ଭ ହୋଇଛି। ୨୦୩୦ ମସିହା ସୁଦ୍ଧା ବାର୍ଷିକ ୫ ଏମଏମଟି ଗ୍ରିନ ହାଇଡ୍ରୋଜେନର ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ବଜେଟ୍‌ରେ ଏନର୍ଜି ଟ୍ରାଞ୍ଜିସନ ଏବଂ ନିଟ୍ ଜିରୋ କାର୍ବନ ଲକ୍ଷ୍ୟ ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟର ଶକ୍ତି ସୁରକ୍ଷା ଲକ୍ଷ୍ୟ ପୂରଣ ପାଇଁ ଅଗ୍ରାଧିକାର ପୁଞ୍ଜିବ୍ୟୟ ବାବଦରେ ୩୫ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ଶକ୍ତି ସଂରକ୍ଷଣ ପାଇଁ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ବିକାଶ ହେବ। ଏହାର କ୍ଷମତା ୪୦୦୦ ଏମ୍‌ଡବ୍ଳୁଏଚ୍‌ ରହିବ।

ପିଏମ୍‌-ପ୍ରଣାମ ଯୋଜନା
ଗୋବର୍ଦ୍ଧନ ସ୍କିମରେ ହେବ ୫୦୦ ପ୍ଲାଣ୍ଟ
୧ କୋଟି ଚାଷୀ କରିବେ ପ୍ରାକୃତିକ ଚାଷ
ଦେଶରେ ରାମ୍‌ସାର୍‌ ଅଞ୍ଚଳ ୭୫କୁ ବୃଦ୍ଧି

ଲଦାଖରୁ ୧୩ ଗିଗାୱାଟର ଅକ୍ଷୟ ଶକ୍ତି ଅନ୍ୟାନ୍ୟ ସ୍ଥାନକୁ ପଠାଇବା ପାଇଁ ଅନ୍ତଃରାଜ୍ୟ ଟ୍ରାନ୍ସମିସନ ବ୍ୟବସ୍ଥା ବିକାଶିତ ହେବ। ଏଥିପାଇଁ ୨୦,୭୦୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବା‌ବେଳେ କେନ୍ଦ୍ର ସରକାର ୮୩୦୦ କୋଟି ଟଙ୍କା ଯୋଗ‌ାଇ ଦେବେ। ଜନସାଧାରଣ, କମ୍ପାନି ଓ ସ୍ଥାନୀୟ ସରକାରଙ୍କ ବ୍ୟବହାରରେ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗ୍ରିନ୍ କ୍ରେଡିଟ୍ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ। ଏଥିସହିତ ପିଏମ୍‌-ପ୍ରଣାମ ବା ପିଏମ୍ ପ୍ରୋଗ୍ରାମ ଫର ‌ରିଷ୍ଟୋରେସନ, ଆୱାରନେସ, ନରିସମେଣ୍ଟ ଆଣ୍ଡ ଆମିଲିଓରେସନ ଅଫ୍ ମଦର ଆର୍ଥ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବ।

ବିକଳ୍ପ ସାର ଏବଂ ରସାୟନିକ ସାରର ସନ୍ତୁଳିତ ବ୍ୟବହାର ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରୋତ୍ସାହିତ କରିବା ଲାଗି ଏହି ଯୋଜନା ଘୋଷଣା କରାଯାଇଛି। ଗୋବର୍ଦ୍ଧନ (ଗାଲଭାନାଇଜିଂ ଅର୍ଗାନିକ ବାୟୋ-ଏଗ୍ରୋ ରିସୋର୍ସେସ ଧନ୍‌) ସ୍କିମ ଅଧୀନରେ ବର୍ଜ୍ୟବସ୍ତୁକୁ ସମ୍ପତ୍ତିରେ ପରିଣତ କରିବା ପାଇଁ ୫୦୦ଟି ପ୍ଲାଣ୍ଟ ନିର୍ମାଣ କରାଯିବ। ଏଥିରେ ୨୦୦ ସିବିଜି (କମ୍ପ୍ରେସ ବାୟୋଗ୍ୟାସ ) ପ୍ଲାଣ୍ଟ ରହିବ। ଏଥିରୁ ୭୫ଟି ସହରାଞ୍ଚଳରେ ହେବ। ଏଥିସହିତ ୩୦୦ ଗୋଷ୍ଠୀଭିତ୍ତିକ ପ୍ଲାଣ୍ଟ ନିର୍ମାଣ ହେବ। ଏସବୁ ପାଇଁ ୧୦ ହଜାର କୋଟି ବ୍ୟୟବରାଦ କରାଯାଇଛି। ପ୍ରାକୃତିକ ଏବଂ ଜୈବିକ ଗ୍ୟାସ ବିକ୍ରି କରୁଥିବା ସଂସ୍ଥା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ୫ ପ୍ରତିଶତ ସିବିଜି ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ।

ଆସନ୍ତା ୩ ବର୍ଷ ମଧ୍ୟରେ ୧ କୋଟି କୃଷକ ଯେଭଳି ପ୍ରାକୃତିକ ଚାଷ କରିବେ ସେଥିପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଦେଶରେ ୧୦ ହଜାର ବାୟୋ ଇନପୁଟ୍ ରିସୋର୍ସ ସେଣ୍ଟର ସ୍ଥାପନ ହେବ। ଦେଶରେ ଅଣୁସାର ଏବଂ କୀଟନାଶକ ନେଟୱର୍କ ପ୍ରତିଷ୍ଠା କରାଯିବ।

ଏଥିସହିତ ଉପକୂଳ ଅଞ୍ଚଳରେ ହେନ୍ତାଳବନ ସୃଷ୍ଟି ପାଇଁ ‘ମିଷ୍ଟି’ ବା ‘ମ୍ୟାନଗ୍ରୋଭ ଇନିସିଏଟିଭ ଫର୍ ସୋରଲାଇନ ହାବିଟାଟ୍ସ ଆଣ୍ଡ ଟାଞ୍ଜିବଲ୍‌ ଇନକମ୍’ ଯୋଜନା ଘୋଷଣା କରାଯାଇଛି। ୨୦୧୪ ପୂର୍ବରୁ ଦେଶରେ ୨୬ଟି ରାମସାର୍ ସାଇଟ୍ ଥିବାବେଳେ ଏବେ ଏହି ସଂଖ୍ୟା ୭୫କୁ ବୃଦ୍ଧି ପାଇଛି। ପରିବେଶ ସୁରକ୍ଷା ଦିଗରେ ସ୍ଥାନୀୟ ବାସିନ୍ଦାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହାକୁ ପ୍ରୋତ୍ସାହନ ଦେବା ପାଇଁ ଅମୃତ ଧରୋହର ଯୋଜନା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର