କେନ୍ଦ୍ର ବଜେଟ୍: ୨୦୨୩-୨୪ – ଘରୋଇକରଣ, ପୁଞ୍ଜିପ୍ରତ୍ୟାହାର ଉପରେ କିଛି କହିଲେନି
ନୂଆଦିଲ୍ଲୀ: ଏଥର ବଜେଟ୍ରେ ଘରୋଇକରଣ କିମ୍ବା ପୁଞ୍ଜିପ୍ରତ୍ୟାହାରରୁ ନିର୍ଦିଷ୍ଟ କେତେ ଆୟ ହେବ ତାହା କୁହାଯାଇନାହିଁ। ବଜେଟ୍ରେ ‘ଅନ୍ୟାନ୍ୟ ପୁଞ୍ଜିପ୍ରାପ୍ତି’ ବର୍ଗରେ ଘରୋଇକରଣ ଆୟକୁ ପ୍ରଦର୍ଶିତ କରାଯାଏ। ୨୦୨୩-୨୪ ବଜେଟ୍ରେ ଏହି ବର୍ଗରେ ୬୦ ହଜାର କୋଟି ଟଙ୍କା ଆୟ ହେବ ବୋଲି ଉଲ୍ଲେଖ କରାଯାଇଛି ଯାହା ୨୦୨୨-୨୩ ପାଇଁ ଧାର୍ଯ୍ୟ କରାଯାଇଥିବା ୬୫,୦୦୦ କୋଟି ଟଙ୍କା ଲକ୍ଷ୍ୟଠାରୁ କମ୍।
Sambad is now on WhatsApp
Join and get latest news updates delivered to you via WhatsApp
ପାନ୍ ହେବ ସାଧାରଣ ବ୍ୟବସାୟ ଚିହ୍ନଟପତ୍ର
ବ୍ୟବସାୟ ବାତାବରଣକୁ ସହଜ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟରେ ଏକ ନୂଆ ପ୍ରସ୍ତାବ ଘୋଷଣା କରିଛନ୍ତି। ଏହା ଅନୁଯାୟୀ ପାନ୍ ନମ୍ବରକୁ ସାଧାରଣ ବ୍ୟବସାୟ ଚିହ୍ନଟପତ୍ର ଭାବେ ଉପଯୋଗ କରାଯିବ। ନିର୍ଦ୍ଦିଷ୍ଟ କେତେକ ସରକାରୀ ଏଜେନ୍ସିର ସମସ୍ତ ଡିଜିଟାଲ ବ୍ୟବସ୍ଥାରେ ଏହାକୁ ସାଧାରଣ ଚିହ୍ନଟପତ୍ର ଭାବେ ବ୍ୟବହାର କରାଯିବ।
ମନ୍ତ୍ରୀଙ୍କ ବେତନ, ଭତ୍ତା ପାଇଁ ୧୨୫୯ କୋଟି
ମନ୍ତ୍ରୀଙ୍କ ବେତନ ଓ ଭତ୍ତା ଲାଗି ବଜେଟ୍ରେ ୧୨୫୮.୬୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମନ୍ତ୍ରୀଙ୍କ ଗମନାଗମନ, ବିଦେଶୀ ଅତିଥିଙ୍କୁ ଆତିଥେୟତା ପ୍ରଦାନ କରିବା ଆଦି ପାଇଁ ମଧ୍ୟ ସେମାନଙ୍କୁ ଟଙ୍କା ମିଳିବ। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଖର୍ଚ୍ଚ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖର୍ଚ୍ଚ, ଭିଭିଆଇପିଙ୍କ ଯାତାୟାତ ଖର୍ଚ୍ଚ, ବୈଠକ ଖର୍ଚ୍ଚ ଆଦିକୁ ସାମିଲ କରାଯାଇଛି।
୫ ଲକ୍ଷ ଟଙ୍କାରୁ ଅଧିକ ପ୍ରିମିୟମ୍ର ଜୀବନ ବୀମା ଉପରେ ଟିକସ
ଜୀବନ ବୀମା ଉପରେ ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରିମିୟମ୍ ଦେଲେ ତାହା ଉପରେ ଟିକସ ଲାଗିବ। ତେବେ ବୀମାଧାରକଙ୍କ ମୃତ୍ୟୁରେ ମିଳୁଥିବା ରାଶି ଉପରେ ଯେଉଁ ଟିକସ ଛାଡ଼ ସୁବିଧା ମିଳୁଥିଲା ତାହା ବଳବତ୍ତର ରହିବ। ୟୁଲିପ୍ ପଲିସି ବ୍ୟତୀତ ଅନ୍ୟ ଯେଉଁ ଜୀବନ ବୀମା ପଲିସି ୨୦୨୩ ଏପ୍ରିଲ୍ ୧ ପରେ ଜାରି ହେବ ଏବଂ ତାହାର ବାର୍ଷିକ ପ୍ରିମିୟମ୍ ୫ ଲକ୍ଷରୁ ଅଧିକ ହେଲେ ତାହା ଉପରେ ଟିକସ ଗଣିବାକୁ ପଡ଼ିବ।
ଇଭିଏମ୍ କିଣିବା ଲାଗି ୧୯୦୦ କୋଟି
ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) କିଣିବା ଲାଗି ବଜେଟ୍ରେ ୧୯୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବାଲଟ୍ ୟୁନିଟ୍, କଣ୍ଟ୍ରୋଲ୍ ୟୁନିଟ୍, ପେପରଟ୍ରାଏଲ୍ ୟୁନିଟ୍ ଏବଂ ଇଭିଏମ୍ ବାବଦରେ ଆନୁଷଙ୍ଗିକ ଖର୍ଚ୍ଚ ଓ ପୁରୁଣା ଇଭିଏମ୍ଗୁଡ଼ିକୁ ନଷ୍ଟ କରିବା ଆଦି କାମ ପାଇଁ ନିର୍ବାଚନ କମିସନଙ୍କ ନିମନ୍ତେ ଏହି ପାଣ୍ଠି ଆବଣ୍ଟନ କରାଯାଇଛି। ୨୦୦୪ ଠାରୁ ଲୋକସଭା ନିର୍ବାଚନରେ ମତଦାନ ପାଇଁ ଇଭିଏମ୍ ବ୍ୟବହାର କରାଯାଉଛି।