ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ରବିବାର ୨୦୨୬-୨୭ ଆର୍ଥିକବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ବିଶ୍ବରେ ସଂପ୍ରତି ଦେଖାଦେଇଥିବା ସାମରିକ ଉତ୍ତେଜନା, ଶୁଳ୍କ ଯୁଦ୍ଧ ଏବଂ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତିରେ ନିର୍ମଳା ଲଗାତାର ନବମ ବର୍ଷ ପାଇଁ ବଜେଟ୍‌ ଆଗତ କରିବେ। ଅର୍ଥନୀତିରେ ସଂସ୍କାର ଆଣିବା ସହିତ ଅର୍ଥମନ୍ତ୍ରୀ ବଜେଟ୍‌ରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ କିଛି ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି। ବିଶେଷକରି ବେତନଭୋଗୀଙ୍କୁ ଆୟକରେ ରିହାତି ମିଳିବା ଆଶା ରହିଛି। ନୂଆ ଆୟକର ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫ ହଜାର ଟଙ୍କା ରହିଥିବାବେଳେ ଆସନ୍ତ ବଜେଟରେ ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହା ହେଲେ ବେତନଭୋଗୀଙ୍କୁ ୧୩ ଲକ୍ଷ ଟଙ୍କା ରୋଜଗାର ଉପରେ ଆୟକର ଦେବାକୁ ପଡ଼ି ନପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। 

Advertisment

ସେହିପରି ଚାଷୀଙ୍କ ପାଇଁ ଅର୍ଥମନ୍ତ୍ରୀ କିଛି ନୂଆ ଘୋଷଣା କରିପାରନ୍ତି। ପିଏମ୍‌ କିଷାନ ଯୋଜନାରେ କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ପରିବର୍ତ୍ତେ ୯ ହଜାର ଟଙ୍କା ଦିଆଯାଇପାରେ। ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୧ କୋଟି ଚାଷୀ ଏହି ଯୋଜନାର ଲାଭ ପାଉଛନ୍ତି। ବା‌ର୍ଷିକ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ଦିଆଯାଉଛି। ସରକାର ପ୍ରତିବର୍ଷ ଏହି ଯୋଜନାରେ ୬୦ରୁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ୯ ହଜାର ଟଙ୍କା କରାଗଲେ ସରକାରଙ୍କୁ ବାର୍ଷିକ ପାଖାପାଖି ୯୫ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ହେବ। ସରକାର ୨୦୩୦ ସୁଦ୍ଧା ରେଳ ସଂରକ୍ଷଣରେ ୱେଟିଂ ଲିଷ୍ଟ୍‌ ଶେଷ କରିବାକୁ ଚାହୁଛନ୍ତି। ଏଥିପାଇଁ ସରକାରଙ୍କୁ ଅଧିକ ଟ୍ରେନ ଚଳାଇବାକୁ ପଡ଼ିବ। ବଜେଟରେ ପାଖାପାଖି ୩୦୦ ନୂଆ ଅମୃତ ଭାରତ ଏବଂ ବନ୍ଦେ ଭାରତ ଟ୍ରେନ ଚଳାଚଳ ନେଇ ଘୋଷଣା ହୋଇପାରେ। ଗତ ବଜେଟରେ ରେଳବାଇକୁ ସରକାର ୨.୬୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ଚଳିତଥର ଏହି ରାଶି ବୃଦ୍ଧି ପାଇବ ବୋଲି ଆଶା ରହିଛି।

ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ବର୍ତ୍ତମାନ ପ୍ରଦାନ କରାଯାଉଥିବା ରିହାତି ରାଶି ବୃଦ୍ଧି ହୋଇପାରେ। ୨ କିଲୋୱାଟ୍‌ ପର୍ଯ୍ୟନ୍ତ ସୌର ଶକ୍ତିରେ କିଲୋୱାଟ ପିଛା ୩୦ ହଜାର ଟଙ୍କା ପରିବର୍ତ୍ତେ ୪୦ ହଜାର ଟଙ୍କା ପ୍ରଦାନ ନେଇ ଘୋଷଣା ହୋଇପାରେ। ‌ସେହିଭଳି ଆୟୁଷ୍ମାନ ଭାରତ ଯୋଜନାରେ ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତିଙ୍କୁ ସୁବିଧା ମିଳୁଛି। ତାହାକୁ ୬୦ ବର୍ଷକୁ କମାଯିବା ସମ୍ଭାବନା ରହିଛି। ସେହିଭଳି ବର୍ଷକୁ ୫ ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ରାଶିକୁ ମଧ୍ୟ ବଢ଼ାଯାଇପାରେ। ଏହାହେଲେ ଜଟିଳ ରୋଗର ଚିକିତ୍ସା ଖର୍ଚ୍ଚ ସରକାରୀ ବୀମା ବ୍ୟବସ୍ଥାରେ ହୋଇପାରିବ।