ଆଜି କେନ୍ଦ୍ର ବଜେଟ୍
ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ୨.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଶୁକ୍ରବାର ସଂସଦରେ ଆଗତ ହେବ। ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ୨୦୧୯-୨୦ ମସିହା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ। ମୋଦୀ ସରକାର ପୂର୍ବାପେକ୍ଷା ଅଧିକ ଆସନ ପାଇ ସରକାର ଗଠନ କରିଥିବାରୁ ବଜେଟ୍ରୁ ଜନସାଧାରଣ ଅନେକ କିଛି ଆଶା ରଖିଛନ୍ତି। ତେଣୁ ନିର୍ମଳା ସୀତାରମଣଙ୍କ ବଜେଟ ପେଡ଼ି ଉପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବେତନ ଭୋଗୀ, ବ୍ୟବସାୟୀ, ବରିଷ୍ଠ ନାଗରିକଙ୍କ ନଜର ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ପୂର୍ବରୁ ସରକାର ଲୋକଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟ୍ରେ ଅନେକ ଯୋଜନା ଘୋଷଣା କରିପାରନ୍ତି। ନିଯୁକ୍ତି, ଚାହିଦା, ରପ୍ତାନି ଏବଂ ଉତ୍ପାଦକତା ବୃଦ୍ଧିର ମୂଳରେ ଅଧିକ ନିବେଶ ରହିଥିବାରୁ ଅର୍ଥମନ୍ତ୍ରୀ ଏ ନେଇ କିଛି ଠୋସ୍ ପଦକ୍ଷେପ ନେଇପାରନ୍ତି। ଭିତ୍ତିଭୂମି କ୍ଷେତ୍ରରେ ଭାରତର ବାର୍ଷିକ ନିବେଶ ୨୦୦ ବିଲିଅନ ଡଲାରକୁ ବୃଦ୍ଧିର ଆବଶ୍ୟକତା ରହିଛି।
ତେବେ ଏ କ୍ଷେତ୍ରରେ ପ୍ରମୁଖ ଆହ୍ବାନ ହେଲା ଘରୋଇ ନିବେଶକୁ ଆକୃଷ୍ଟ କରିବା। ତେଣୁ ଅର୍ଥମନ୍ତ୍ରୀ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ଭଳି କିଛି ପଦକ୍ଷେପ ବଜେଟରେ ଘୋଷଣା କରିପାରନ୍ତି। ଗ୍ରାମୀଣ ଅର୍ଥନୀତିକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ଉଦ୍ୟମ କରିପାରନ୍ତି। ଏଥିପାଇଁ ସେ ବିଭିନ୍ନ ଗ୍ରାମୀଣ କୈନ୍ଦ୍ରିକ ଯୋଜନାରେ ଅଧିକ ବ୍ୟୟବରାଦ କରିପାରନ୍ତି।
ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ମୋଦୀ ୨.୦ ସରକାରଙ୍କ ପ୍ରଥମ ବଜେଟ୍ରେ କୃଷି, ଏମ୍ଏସ୍ଏମ୍ଇ ବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଜଳସମ୍ପଦ କ୍ଷେତ୍ରକୁ ସର୍ବାଧିକ ପ୍ରାଧାନ୍ୟ ମିଳିବ। ଉଦ୍ୟୋଗୀମାନଙ୍କୁ ବିନା ବନ୍ଧକରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, କୃଷକମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନର ବ୍ୟବସ୍ଥା କରିପାରନ୍ତି। ସେହିଭଳି କୃଷକ ଏବଂ ବ୍ୟବସାୟୀମାନଙ୍କ ପାଇଁ ପେନସନ ଯୋଜନା ବାବଦରେ ବ୍ୟୟବରାଦ ମଧ୍ୟ କରିପାରନ୍ତି। ଗ୍ରାମାଞ୍ଚଳ ପରିବାର ଗୁଡ଼ିକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବାବଦରେ ବଜେଟରେ ପ୍ରାଧାନ୍ୟ ଦିଆଯାଇପାରେ। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବାରୁ କୃଷି କ୍ଷେତ୍ରର ସଂସ୍କାର ନେଇ ବଜେଟରେ କିଛି ଘୋଷଣା କରାଯାଇପାରେ।
ବିମୁଦ୍ରୀକରଣ ଏବଂ ଜିଏସଟି ବା ସାମଗ୍ରୀ ଓ ସେବା ଟିକସକୁ ସରକାର କାର୍ଯ୍ୟକାରୀ କରିସାରିଥିବାରୁ ଏବେ ପ୍ରତ୍ୟକ୍ଷ ଟିକସ କୋଡ୍ରେ ସଂସ୍କାର ସରକାରଙ୍କର ପରବର୍ତ୍ତୀ ଲକ୍ଷ୍ୟ। ତେଣୁ ଅର୍ଥମନ୍ତ୍ରୀ ବଜେଟରେ ଏ ନେଇ କିଛି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।