ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ଦେଇଛି । ଏହି ବିଲ୍ ଅନୁସାରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ସଂଧ୍ୟାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି । ତେବେ ଏହି କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଔପଚାରିକଭାବେ ଘୋଷଣା କରିନାହାନ୍ତି ।
ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି । ଏହାକୁ ଆସନ୍ତା ୨୦ କିମ୍ବା ୨୧ ତାରିଖରେ ଗୃହରେ ଆଗତ କରାଯିବ ।
ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ବିଜେଡି, ବିଆରଏସ ଓ ଆଉ କେତେକ ଆଞ୍ଚଳିକ ଦଳ ଦାବି କରିଛନ୍ତି । ଆଜି ମଧ୍ୟ ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଧିବେଶନରେ କେତେକ ଐତିହାସିକ ନିଷ୍ପତ୍ତି ନିଆଯିବ । ତାଙ୍କ ବୟାନରୁ ଲାଗୁଥିଲା ଯେ ସେ ମହିଳା ସଂରକ୍ଷଣ ବିଲକୁ ଇସାରା କରୁଛନ୍ତି ।
ବର୍ତ୍ତମାନର ଲୋକସଭାରେ ୭୮ ଜଣ ମହିଳା ସାଂସଦ ଅଛନ୍ତି, ଯାହା କି ମୋଟ ୫୪୩ ସଦସ୍ୟସଂଖ୍ୟାର ୧୫ ପ୍ରତିଶତରୁ କମ୍। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡୁଚେରୀ ସମେତ ଅନେକ ରାଜ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/WhatsApp-Image-2023-09-18-at-22.10.39.jpeg)