ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନା ଅଧୀନରେ ୧ କୋଟି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ ଏବଂ ମାଗଣା ବିଜୁଳି ସହିତ ବାର୍ଷିକ ୧୫,୦୦୦ ଟଙ୍କା ସଞ୍ଚୟ ହେବ। ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏଥିରେ ପ୍ରତି ପରିବାର ପାଇଁ ୨ କିଲୋୱାଟ୍ ପର୍ଯ୍ୟନ୍ତ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟର ମୂଲ୍ୟ ୧୪୫,୦୦୦ ଟଙ୍କା ହେବ। ଏଥିରେ ସରକାର ୭୮,୦୦୦ ଟଙ୍କା ସବସିଡି ଦେବେ।
ଏ ନେଇ ଏକ ଜାତୀୟ ପୋର୍ଟାଲ ଆରମ୍ଭ କରାଯାଇଛି ଏବଂ ଘରର ମାଲିକମାନେ ଏଥିରେ ବିକ୍ରେତା (ଭେଣ୍ଡର) ଚୟନ କରିପାରିବେ । ଏଥିପାଇଁ ଆପଣଙ୍କୁ ସହଜ କିସ୍ତିରେ ବ୍ୟାଙ୍କରୁ ଋଣ ମଧ୍ୟ ମିଳିବ । ପିଏମ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଅଧୀନରେ ପ୍ରତ୍ୟେକ ଗାଁରେ ମଡେଲ ସୋଲାର ଭିଲେଜ ନିର୍ମାଣ କରାଯିବ । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ୭୫,୦୨୧ କୋଟି ଟଙ୍କା ବ୍ୟୟଅଟକଳରେ ଏକ କୋଟି ପରିବାରରେ ଛାତ ଉପରେ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ଯୋଜନାପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ଅନୁରାଗ ଠାକୁର କହିଛନ୍ତି ଯେ କ୍ୟାବିନେଟ କୃଷି ଓ କୃଷି ସମ୍ବନ୍ଧୀୟ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବାଣିଜ୍ୟିକ ସେମିକଣ୍ଡକ୍ଟର ଫ୍ୟାବକୁ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଅଧୀନରେ ୩ଟି ପ୍ଲାଣ୍ଟ ସ୍ଥାପନ ପାଇଁ ଅନୁମୋଦନ ମିଳିଛି।