‘ବିଶ୍ବ ଅସମାନତା’ ରିପୋର୍ଟକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରତ୍ୟାଖ୍ୟାନ, କହିଲେ ଏହା ତ୍ରୁଟିପୂର୍ଣ୍ଣ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ବିଶ୍ୱ ଅସମାନତା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟରେ ଭାରତକୁ ଏକ ଗରିବ ଓ ଅସମାନ ଦେଶ ବୋଲି ଦର୍ଶାଯାଇଛି। ଏହି ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ କହି ସୀତାରମଣ ଏହାର ମେଥଡ଼ୋଲୋଜି ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟସଭା ଅଧିବେଶନରେ ସୀତାରମଣ କହିଛନ୍ତି ଯେ ବିଶ୍ୱ ଅସମାନତା ରିପୋର୍ଟ ଭାରତକୁ ‘ଗରିବ ଏବଂ ଅତ୍ୟଧିକ ଅସମାନ’ ଦେଶ ବୋଲି କହିଛି। ‘ବିଶ୍ୱ ଅସମାନତା ରିପୋର୍ଟ ୨୦୨୨’ ଡିସେମ୍ବର ୨୦୨୧ରେ ଫ୍ରାନ୍ସର ବିଶ୍ବ ଅସମାନତା ଲ୍ୟାବ୍ ଦ୍ବାରା ପ୍ରକାଶିତ ହୋଇଥିଲା। ଏଥିରେ ଦର୍ଶାଯାଇଛି ଯେ ଦେଶ ଜନସଂଖ୍ୟାର ୧% ଲୋକ ମୋଟ ଜାତୀୟ ଆୟର ଏକ ପଞ୍ଚମାଂଶରୁ ଅଧିକ ଆୟ କରୁଛନ୍ତି। ଭାରତରେ ବୟସ୍କ ଜନସଂଖ୍ୟାର ହାରାହାରି ଜାତୀୟ ଆୟ ବାର୍ଷିକ ୨,୦୪,୨୦୦ଟଙ୍କା ହୋଇଥିବାବେଳେ ତଳ ସ୍ତରର ୫୦% ଜନସଂଖ୍ୟାର ହାରାହାରି ବାର୍ଷିକ ଆୟ ୫୩,୬୧୦ ଟଙ୍କା। ଉପର ସ୍ତରର ୧୦ ପ୍ରତିଶତ ଲୋକ ୨୦ ଗୁଣ ଅଧିକା ବା ୧,୧୬୬,୫୨୦ ଟଙ୍କା ଆୟ କରନ୍ତି। ଭାରତରେ ମହିଳାମାନେ ୨୦୨୦ରେ ଶ୍ରମ ଆୟର ମାତ୍ର ୧୮.୩% ପାଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର