କୋଭିଡ୍-୧୯ର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କେତେକ ରାଜ୍ୟରେ କୋଭିଡ୍-୧୯ ମାମଲା ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ ଆଜି ବିଶେଷଜ୍ଞ ଓ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ସଭାପତିତ୍ବ କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପରବୀଣ ପାୱାର ଓ ନୀତି ଆୟୋଗ ସଦସ୍ୟ ଡ. ଭିକେ ପାଲ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।

ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ ବିଶ୍ବ ପରିସ୍ଥିତି ସହ ଦେଶରେ କୋଭିଡ୍‌ର ସ୍ଥିତି ସମ୍ପର୍କରେ ଉପସ୍ଥାପନା କରିଥିଲେ। ଏହା ସହିତ ସେ ଦୈନିକ ଓ ସକ୍ରିୟ ମାମଲା, ପଜିଟିଭିଟି ହାର, ମୃତ୍ୟୁ, ଟେଷ୍ଟିଂର ସ୍ଥିତି ସହିତ ପ୍ରତି ନିୟୁତରେ ରାଜ୍ୟ ୱାରି ସାପ୍ତାହିକ ପରୀକ୍ଷା, ସାପ୍ତାହିକ ପରୀକ୍ଷାରେ ଆର୍‌ଟି ପିସିଆର୍‌ର ଅଂଶ, ଜେନୋମ୍ ସିକ୍ବେନ୍ସିଂ ଓ ଟିକାକରଣ ବିଷୟରେ ବି ଉଲ୍ଲେଖ କରିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଧିକ ମାମଲା ଥିବା ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ବଢ଼ାଇବା ସହିତ ଫଳପ୍ରଦ ଭାବରେ କୋଭିଡ୍-୧୯ ସର୍ଭେଲାନ୍‌ସ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ ଯା’ଦ୍ବାରା ଏହି ସଂକ୍ରମଣର ବୃଦ୍ଧିକୁ ଠିକ୍ ସମୟରେ ନିୟନ୍ତ୍ରଣ କରାଯାଇପାରିବ। ଡ. ମାଣ୍ଡବୀୟ ଅଧିକାରୀମାନଙ୍କୁ ସର୍ଭେଲାନ୍‌ସ ଓ ହୋଲ୍ ଜେନୋମ୍ ସିକ୍ବେନ୍‌ସିଂ (ଡବ୍ଲୁଜିଏସ୍) ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଯେଉଁ ଜିଲ୍ଲାମାନଙ୍କରେ ଅଧିକ ମାମଲା ଦେଖାଯାଉଛି ସେଠାରେ ସେ ଟିକାକରଣ ସହିତ ବୁଷ୍ଟର ଡୋଜ୍ ମାତ୍ରା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ପର୍ଯ୍ୟାପ୍ତ ମାତ୍ରାରେ ଟିକା ଉପଲବ୍ଧ ରହିଛି, ତେଣୁ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ଟିକାକୁ ନଷ୍ଟ ନ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର