ନୂଆଦିଲ୍ଲୀ: ୨୦୦୯-୧୦ରୁ ଓଡ଼ିଶାରେ କ୍ରମାଗତ ମାଓ ହିଂସା କମିବାରେ ଲାଗିଛି। ୨୦୦୯-୧୦ରେ ୨୬୬ଟି ମାଓ ହିଂସାରେ ୬୭ ଜଣ ପ୍ରାଣ ହରାଇଥିବାବେଳେ ୨୦୨୧-୨୨ରେ ୩୨ଟି ମାଓ ହିଂସାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୧୧ଟି ମାଓ ପ୍ରବଣ ରାଜ୍ୟ ମଧ୍ୟରୁ ହିଂସା ଘଟଣାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୨୫୫ଟି ମାଓ ହିଂସା ସହ ଛତିଶଗଡ଼ ଦେଶର ପ୍ରଥମ ସ୍ଥାନରେ ଅଛି। ଗତକାଲି ପ୍ରକାଶ ପାଇଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ବାର୍ଷିକ ରିପୋର୍ଟ ୨୦୨୧-୨୨ରେ ଏହି ତଥ୍ୟ ଉଲ୍ଲେଖ ରହିଛି।
ରିପୋର୍ଟରେ କୁହାଯାଇଛି, ୨୦୨୦-୨୧ରେ ଦେଶର ୧୧ଟି ମାଓ ପ୍ରବଣ ରାଜ୍ୟରେ ୫୦୯ ମାଓ ହିଂସା ଘଟଣାରେ ୧୪୭ ପ୍ରାଣ ହରାଇଥିଲେ। ହିଂସା ରୋକିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୩ ଟି ସ୍ବତନ୍ତ୍ର ଇଣ୍ଡିଆ ରିଜର୍ଭ ବାଟାଲିୟନ ସ୍ଥାପନ ପାଇଁ ମଂଜୁରି ପ୍ରଦାନ କରିଛନ୍ତି। ତଟବର୍ତ୍ତୀ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଓଡ଼ିଶା ସମେତ ୧୦ଟି ରାଜ୍ୟ ଏବଂ ତିନିଟି କେନ୍ଦ୍ର ଶାସିତ ଅଂଚଳ କୋଷ୍ଟାଲ୍ ମ୍ୟାପିଂ ପ୍ରକ୍ରିୟାକୁ ଶେଷ ହୋଇଛି। ଅନ୍ତର୍ଜାତୀୟ ଜଳ ଅପରାଧ ସମ୍ପର୍କିତ ମାମଲା ରୁଜୁ ପାଇଁ ପାରାଦୀପ ମେରାଇନ୍ ପୋଲିସ ଷ୍ଟେସନ ସ୍ଥାପନ କରାଯାଇଛି।
ଅପରାଧ ନିୟନ୍ତ୍ରଣ ପାଇଁ ଅନ୍ୟାନ୍ୟ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ ଓଡ଼ିଶା ସମେତ ୫ ରାଜ୍ୟରେ ୮୯୯୨ ସ୍ଥାନରେ ବେଆଇନ ଗଂଜେଇ ଚାଷକୁ ନଷ୍ଟ କରାଯାଇଛି। ଭୁବନେଶ୍ବରର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଫିସ ପରିସର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଓଡ଼ିଶାରେ ପୁଲିସ ସଂସ୍କାର କାର୍ଯ୍ୟ ପାଇଁ ୧୭.୩୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପୁଲିସ ଆଧୁନିକୀକରଣ ପାଇଁ ଓଡ଼ିଶାକୁ ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ୯୭.୪୨ କୋଟି ଟଙ୍କାର ସହାୟତ ପ୍ରଦାନ କରାଯାଇଛି।
୨୦୨୧ରେ ଦେଶର ସର୍ବଶ୍ରେଷ୍ଠ ୧୦ଟି ପୋଲିସ ଷ୍ଟେସନ ତାଲିକାରେ ଓଡ଼ିଶାର ଗଂଜାମ ଜିଲ୍ଲାର ଗାଙ୍ଗପୁର ପୋଲିସ ଷ୍ଟେସନ ଦ୍ବିତୀୟ ସ୍ଥାନରେ ରହିଥିଲା। ସ୍ବାଧୀନତା ସଂଗ୍ରାମୀମାନଙ୍କ କଲ୍ୟାଣ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ ମାର୍ଚ ୩୧, ୨୦୨୧ ସୁଦ୍ଧା ଓଡ଼ିଶାର ୪୧୯୬ ସ୍ବାଧୀନତା ସଂଗ୍ରାମୀ ଓ ସେମାନଙ୍କ ଯୋଗ୍ୟ ଆଶ୍ରିତମାନଙ୍କୁ ପେନସନ୍ ମଂଜୁର କରାଯାଇଛି। ଜାନୁଆରି ୧, ୨୦୨୨ ସୁଦ୍ଧା ଓଡ଼ିଶାରେ ୫୪ ଜଣ ଶ୍ରୀଲଙ୍କା ଶରଣାର୍ଥୀ ଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟର ୩୦୫ ପୃଷ୍ଠାର ବାର୍ଷିକ ରିପୋର୍ଟରେ ଦେଶରେ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟ୍ରାର (ଏନ୍ପିଆର୍)ର ଅଧୁନାତନ(ଅପଡେସନ)ର ଆବଶ୍ୟକତା ରହିଥିବା କୁହାଯାଇଛି। କୋଭିଡ୍ ମହାମାରୀ ଯୋଗୁଁ ଏନ୍ପିଆର୍ ଅପଡେସନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି।