ଭିଡ଼ ଅଞ୍ଚଳରେ ଭାରୀଯାନ ଚଢ଼ାଇ ଲୋକଙ୍କୁ ହତ୍ୟା କରିବାକୁ ଆତଙ୍କବାଦୀ କରିଛନ୍ତି ଯୋଜନା; ସଜାଗ ରହିବାକୁ ଏନ୍‌ଏସ୍‌ଜିକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ପାଇଁ ଆତଙ୍କବାଦୀମାନେ ନୂଆ ନୂଆ କୌଶଳ ଅବଲମ୍ବନ କରୁଥିବାରୁ ଏଥିପ୍ରତି ସର୍ବଦା ସତର୍କ ରହିବା ସହ ଏହାର ମୁକାବିଲା ପାଇଁ ନିଜକୁ ସଦା ପ୍ରସ୍ତୁତ କରି ରଖିବାକୁ ସୁରକ୍ଷା ବାହିନୀକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ।

ଗୁରୁଗ୍ରାମର ମାନେସାରଠାରେ ଜାତୀୟ ସୁରକ୍ଷା ବାହିନୀ (ଏନଏସଜି)ର ୩୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେବା ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ, ସଂପ୍ରତି ଆତଙ୍କବାଦୀମାନେ ନିଜର ପ୍ରଚାର ପାଇଁ ସୋସିଆଲ ମିଡିଆର ବ୍ୟବହାର କରୁଥିବା ବେଳେ ଭିଡ଼ ଥିବା ଅଞ୍ଚଳରେ ଲୋକଙ୍କ ଉପରେ ଚଳନ୍ତା ଭାରୀଯାନ ଚଢ଼ାଇ ମରିଦେବାକୁ ଉଦ୍ୟମ କରୁଛନ୍ତି। ତେଣୁ, ଏଭଳି ଆହ୍ଵାନର ସମ୍ମୁଖୀନ ହେବା ଲାଗି ଏନଏସଜି ନିଜର ଦକ୍ଷତା ଓ ବୃଦ୍ଧି କରିବା ସହ କୌଶଳ ବଦଳାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଏହି ଅବସରରେ ଏନଏସଜିକୁ ଆତଙ୍କବାଦୀଙ୍କ ବିରୋଧରେ ‘ସୁଦର୍ଶନ ଚକ୍ର’ ଭାବେ ଅଭିହିତ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହଛନ୍ତି ଯେ, ବିଶ୍ୱର କୌଣସି ଆନ୍ତର୍ଜାତିକ ଫୋର୍ସ ସହ ଏହା ତୁଳନୀୟ। ଏହା ଅନ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ନୁହେଁ ବରଂ ଶ୍ରେଷ୍ଠମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ। ପ୍ରତିଷ୍ଠାର ୩୪ ବର୍ଷ ମଧ୍ୟରେ ଏନଏସଜି ଦେଶର ନିରାପତ୍ତା ବଳୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଦେଶରେ ଆତଙ୍କବାଦୀଙ୍କ ମୁକାବିଲା, ଆଣ୍ଟି ହାଇଜାକିଂ, କ୍ଲୋଜ୍‌ ପ୍ରୋଟେକ୍ସନ ଆଦି ବହୁମୁଖୀ ଭୂମିକାରେ ଏନଏସଜି ନିଜର ପାରଦର୍ଶିତା ପ୍ରମାଣିତ କରିପାରିଛି। ଯାହାବି ଗୁରୁ ଦାୟିତ୍ୱ ଏନଏସଜିକୁ ଦିଆଯାଇଛି, ତାହାକୁ ସେ ସଫଳତାର ସହ ତୁଲାଇପାରିଛି। ଶତ୍ରୁମାନେ ଏହାର ଦକ୍ଷତା ପ୍ରତି ଭୟଭୀତ ହୋଇପଡ଼ିଥିବା ବେଳେ ଦେଶବାସୀଙ୍କ ବିଶ୍ୱାସ ଅତୁଟ ରହି ପାରିଛି ବୋଲି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସିଂହ।

ସମ୍ବନ୍ଧିତ ଖବର