ନୂଆଦିଲ୍ଲୀ: ଆଜି ପୁଞ୍ଚ ଗସ୍ତରେ ଯିବେ ଶାହ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁଞ୍ଚ ଯାଇ ପାକିସ୍ତାନ ଗୁଳିମାଡରେ ପ୍ରାଣ ହରାଇଥିବା ଏବଂ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଭେଟିବେ । ସେମାନଙ୍କ ସହ ଆଲୋଚନା କରିବେ । ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଗୁଳିମାଡରେ ପୁଞ୍ଚରେ ୪ ଶିଶୁଙ୍କ ସମେତ ମୋଟ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେ ୭ ତାରିଖରୁ ୧୦ ତାରିଖ ରାତି ଭିତରେ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ମୋଟ ୨୮ ଜଣଙ୍କ ଜୀବନ ଯାଇଛି । ଆଉ ଆଜି ସେହି ମୃତକ ଏବଂ ପ୍ରଭାବିତଙ୍କ ପରିବାରକୁ ଭେଟିବେ ଶାହ ।

Advertisment

ଗତକାଲି ସଂଧ୍ଯାରେ ଜାମମ୍ୁରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଆଜି ପୁଞ୍ଚ ଗସ୍ତ କରିବାର କାର୍ଯ୍ଯକ୍ରମ ଥିବାରୁ ପୁଞ୍ଚରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗସ୍ତ ବେଳେ ଶାହ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଅଞ୍ଚଳ ବୁଲିବା ସହ ଧର୍ମାନୁଷ୍ଠାନକୁ ବୁଲି ଦେଖିବେ । ତା ପରେ ପୁଞ୍ଚରେ ନିୟୋଜିତ ଯବାନଙ୍କ ସହ ଆଲୋଚନା କରିବେ । ଗତରାତିରେ ଶାହ ଅମରନାଥ ଯାତ୍ରା ନେଇ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ ।

ତେବେ ଶାହଙ୍କ ପୂର୍ବରୁ ଗତ ୨୪ ତାରିଖ ଦିନ ପୁଞ୍ଚ ଗସ୍ତରେ ଯାଇଥିଲେ ରାହୁଲ ଗାନ୍ଧୀ । ସେଠାରେ ସେ ପୀଡିତଙ୍କୁ ଭେଟିଥିଲେ । ବିଭିନ୍ନ ଧର୍ମାନୁଷ୍ଠାନ ବୁଲି ସ୍ଥିତି ପରଖିଥିଲେ ଏବଂ ସେ ସରକାରଙ୍କୁ ପୁଞ୍ଚବାସୀଙ୍କୁ ଆକ୍ରମଣ ପରର ଦୁଃଖ କଥା କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଆଉ ଗତକାଲି ମୋଦୀଙ୍କୁ ଚିଠି ଲେଖିଥିଲେ ରାହୁଲ । ପୁଞ୍ଚ ପ୍ରଭାବିତଙ୍କ କଥା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପାକିସ୍ତାନର ଗୁଳିମାଡ ଏବଂ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ପୁଞ୍ଚ ସମେତ ଅନ୍ୟ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଦାବି କରିଥିଲେ ରାହୁଲ । ପାକିସ୍ତାନର ଆଖିବୁଜା ଗୁଳିମାଡରେ ଘରଦ୍ବାର, ରାସ୍ତା ଘାଟ, ସ୍କୁଲ କଲେଜ, ଧର୍ମାନୁଷ୍ଠାନ ସବୁ ନଷ୍ଟ ହୋଇଯାଇଛି । ଏପରି ଏକ ସଙ୍କଟ ସମୟରେ ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କ ସହ ଆମେ ଛିଡା ହେବା ଏବଂ ସେମାନଙ୍କ ଦୁଃଖ ବୁଝିବା ଆମ କର୍ତ୍ତବ୍ୟ । ତେଣୁ ଭାରତ ସରକାରଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି କି ପାକିସ୍ତାନ ଗୁଳିମାଡରେ କ୍ଷତିଗ୍ରସ୍ତ ପୁଞ୍ଚ ସମେତ ଅନ୍ୟ ଅଞ୍ଚଳ ପାଇଁ ପ୍ୟାକେଜ ଘୋଷଣା କରାଯାଉ ବୋଲି ରାହୁଲ ଚିଠିରେ ଲେଖିଥିଲେ ।