ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ଲାଗି ବିପତ୍ତି ହ୍ରାସ ପ୍ରଣାଳୀକୁ ଆହୁରି ମଜବୁତ କରିବା ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ସହିତ ମିଶି ବିପର୍ଯ୍ୟୟ ପ୍ରଶମନ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା।
ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ଦେଶରେ ବିପର୍ଯ୍ୟୟ ପରିଚାଳନା ପାଇଁ ୮ହଜାର କୋଟି ଟଙ୍କାରୁ ଅଧିକ ସହାୟତା ରାଶି ସହିତ ତିନୋଟି ପ୍ରମୁଖ ଯୋଜନା ବିଷୟରେ ଘୋଷଣା କରିଛନ୍ତି। ସେଗୁଡ଼ିକ ହେଉଛି: ୧) ରାଜ୍ୟରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ ପାଇଁ ୫ ହଜାର କୋଟି ଟଙ୍କାର ପ୍ରକଳ୍ପ, ୨) ସହରରେ ବନ୍ୟା ବିପଦ ହ୍ରାସ ଲାଗି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସାତଟି ମହାନଗର- ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ ଏବଂ ପୁଣେ ପାଇଁ ୨୫୦୦ କୋଟି ଟଙ୍କାର ପରିଯୋଜନା ଏବଂ ୩) ଭୂ-ସ୍ଖଳନ ପ୍ରଶମନ ଲାଗି ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୮୨୫ କୋଟି ଟଙ୍କାର ଜାତୀୟ ଭୂ-ସ୍ଖଳନ ବିପଦ ପ୍ରଶମନ ପ୍ରକଳ୍ପ।
ସେ କହିଥିଲେ ଯେ, ବିପର୍ଯ୍ୟୟ କାରଣରୁ ଜଣେ ବ୍ୟକ୍ତିଙ୍କ ଜୀବନହାନି ଯେପରି ନ ହୁଏ ସେଥିପାଇଁ ଆମର ପ୍ରୟାସ ହେବା ଉଚିତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଗତ ୫ ବର୍ଷ ମଧ୍ୟରେ ସବୁ ରାଜ୍ୟ ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ ପ୍ରୟାସ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ଆଜିର ବୈଠକରେ ହୋଇଥିବା ଆଲୋଚନା ଜାତୀୟ ସ୍ତରରେ ନୀତି ପ୍ରସ୍ତୁତ କରିବା ଏବଂ ସେଥିରେ ପରିବର୍ତ୍ତନ ଆଣିବା ଲାଗି ମହତ୍ୱପୂର୍ଣ୍ଣ। ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଯଥେଷ୍ଟ ସଫଳତା ହାସଲ କରିଛନ୍ତି, କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ହୋଇ ବସିଯିବା ଉଚିତ ନୁହେଁ। ବିପର୍ଯ୍ୟୟର ସ୍ୱରୂପ ବଦଳିଛି, ସେଗୁଡ଼ିକର ବାରମ୍ବାରତା ଏବଂ ତୀବ୍ରତା ମଧ୍ୟ ବଢ଼ିଛି। ସେଥିପାଇଁ ଆମ ପ୍ରସ୍ତୁତିକୁ ଅଧିକ ଦକ୍ଷ ଏବଂ ବ୍ୟାପକ କରିବାକୁ ହେବ। ଏବେ ଅନେକ ସ୍ଥାନରେ ନୂଆ ବିପର୍ଯ୍ୟୟ ଆସୁଛି, ସେଥିପାଇଁ ମଧ୍ୟ ଆମେ ନିଜକୁ ପ୍ରସ୍ତୁତ କରିବା ଉଚିତ ବୋଲି ଶାହ କହିଥିଲେ।