ଦିଲ୍ଲୀ‌ରେ ନମୁନା ପରୀକ୍ଷଣ ତିନିଗୁଣ ହେବ,ଘରକୁ ଘର ବୁଲି ସର୍ଭେ କରାଯିବ; ରାଜନୈତିକ ଦଳର କର୍ମୀ ସାଜିବେ ସ୍ବେଚ୍ଛାସେବୀ

ନୂଆଦିଲ୍ଲୀ:  ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ନେବେ ବୋଲି କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରୀ  ଅମିତ ଶାହ କରିଛନ୍ତି । କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହ କହିଛନ୍ତି ଯେ, ଏହି ବୈଶ୍ଵିକ ମହାମାରୀ ବିରୁଦ୍ଧରେ ମୁକାବିଲା କରିବା ପାଇଁ ସମସ୍ତଙ୍କୁ ମିଳିତଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କାର୍ଯ୍ୟ କରିବାକୁ ହେବ । ଗତକାଲି  ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଏଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାକୁ ଶ୍ରୀ ଶାହ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଦିଲ୍ଲୀବାସୀଙ୍କ କଲ୍ୟାଣ ପାଇଁ ସରକାର ନେଇଥିବା ବିଭିନ୍ନ ନିଷ୍ପତ୍ତିଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ  ସମସ୍ତ ରାଜନୈତିକ ଦଳ ନିଜର କର୍ମୀମାନଙ୍କୁ ନିୟୋଜିତ କରିବାକୁ ଶ୍ରୀ ଶାହ ନିବେଦନ କରିଛନ୍ତି । ସମସ୍ତ ରାଜନୈତିକ ମତଭେଦ ଭୁଲି ସମସ୍ତେ ଜନସ୍ଵାର୍ଥ ଲାଗି କାର୍ଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ରାଜନୈତିକ ଏକତା ଲୋକମାନଙ୍କ ମଧ୍ୟରେ ବିଶ୍ଵାସ ଆଣିବା ସହ ଦିଲ୍ଲୀର ମହାମାରୀ ପରିସ୍ଥିତିରେ ମଧ୍ୟ ଉନ୍ନତି ଆଣିବ ବୋଲି ସେ କହିଛନ୍ତି । ନୂତନ ଜ୍ଞାନକୌଶଳ ବଳରେ ଆମକୁ ନମୁନା ପରିକ୍ଷଣ ସାମର୍ଥ୍ୟ ବୃଦ୍ଧି କରିବାକୁ ପଡିବ । ଏକାଠି ହୋଇ ଲଢିଲେ ଆମେମାନେ ଏହି ମହାମାରୀକୁ ଦୂରେଇଦେବା ବୋଲି ଶ୍ରୀ ଶାହ କରିଛନ୍ତି । ଆମ ଆଦମୀ ପାର୍ଟିର ସଞ୍ଜୟ ସିଂ, ଦିଲ୍ଲୀ ରାଜ୍ୟ ବିଜେପି ଅଧ୍ୟକ୍ଷ  ଆଦେଶ ଗୁପ୍ତା, ରାଜ୍ୟ କଂଗ୍ରେସ ସଭାପତି  ଅନିଲ ଚୌଧୁରୀ ଏବଂ ବହୁ ଜନ ସମାଜ ପାର୍ଟିର ପ୍ରତିନିଧି ଏଥିରେ ଯୋଗଦେଇଥିଲେ । କୋଭିଡ ମୁକାବିଲା ଲାଗି ବିଭିନ୍ନ ଦଳୀୟ ନେତାମାନେ ପ୍ରସ୍ତାବ ଦେବା ସହ ଏଦିଗରେ କେନ୍ଦ୍ର, ରାଜ୍ୟ ସରକାର ଓ ଦିଲ୍ଲୀ ମହାନଗର ନିଗମକୁ ସମସ୍ତ ସହାୟତାର ହାତ ବଢାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଗତକାଲି ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ହୋଇଥିବା ଆଲୋଚନାରେ ଦିଲ୍ଲୀକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ କରୋନା ରୋଗୀମାନଙ୍କ ପାଇଁ ୫୦୦ ରେଳ କୋଚ ଦିଲ୍ଲୀ ସରକାରଙ୍କୁ ପ୍ରଦାନ, ୮୦୦୦ ଶଯ୍ୟା ବ୍ୟବସ୍ଥା, ଘରକୁ ଘର ବୁଲି ସର୍ଭେ କରିବା ସହ ଆବଧାଞ୍ଚଳରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ, ଦୁଇ ଦିନ ମଧ୍ୟରେ ନମୁନା ପରିକ୍ଷଣକୁ ଦୁଇଗୁଣ ଓ ଛଅ ଦିନ ମଧ୍ୟରେ ତିନିଗୁଣ କରିବା ଅନ୍ତର୍ଭୁକ୍ତ । ଏହାଛଡା ଘରୋଇ ହସ୍ପିଟାଲର ଶତକଡା ୬୦ ଭାଗ ଶଯ୍ୟା କମ ଦରରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରାଇବା, ନମୁନା ପରୀକ୍ଷା ଓ ଚିକିତ୍ସାର ଦେୟ ନିର୍ଦ୍ଧାରଣ କରିବା, ନୀତି ଆୟୋଗର ସଦସ୍ୟ ଡଃ ଭି. କେ. ପଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଘରୋଇ ହସ୍ପିଟାଲଗୁଡିକ ପାଇଁ ପ୍ରସ୍ତୁତ ନିୟମାବଳୀର ପରୀକ୍ଷା ନିରୀକ୍ଷା କରିବା ଓ ଏମ୍ସ ଦିଲ୍ଲୀ ଅଧୀନରେ ଦୁରାଭାଷ ଦ୍ଵାରା ପରାମର୍ଶ ଦେବା ପାଇଁ ହେଲ୍ପଲାଇନ ପ୍ରତିଷ୍ଠା ଇତ୍ୟାଦି ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ସମ୍ବନ୍ଧିତ ଖବର