ହିମାଚଳ ରାଜପଥରେ ଖରାପ ହୋଇଗଲା ବସ୍‌; ସ୍ଥାନୀୟ ଲୋକଙ୍କ ସଙ୍ଗେ ମିଶି ଅଚଳ ବସ୍‌କୁ ଠେଲିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ବିଳାସପୁର: ମଙ୍ଗଳବାର ଦିନ ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ମଝିରେ ଅଚଳ ହୋଇଯାଇଥିବା ଗୋଟାଏ ବସ୍‌କୁ ସ୍ଥାନୀୟ ଜନତାଙ୍କ ସହିତ ମିଶି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଠେଲୁଥିବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।

ଗୋଟାଏ ଗାଁ ଭିତର ଦେଇ ଯାଇଥିବା ରାଜପଥର ଅଣଓସାରିଆ ଅଞ୍ଚଳରେ ଯାତ୍ରୀପୂର୍ଣ୍ଣ ବସ୍‌ଟି ଅଚଳ ହୋଇଯିବାରୁ ରାଜପଥରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଥିଲା। ସେତେବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବିଳାସପୁର ଜିଲ୍ଲାର ଘୁମାର୍ବି, ଝଣ୍ଡୁତା ଏବଂ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଇ ଫେରୁଥିଲେ। ତାଙ୍କ ଗାଡ଼ି ମଧ୍ୟ ରାଜପଥ ଟ୍ରାଫିକ୍‌ ଜାମ୍‌ରେ ଫସି ଯାଇଥିଲା।

Image Courtesy of ABP

ନିରୁପାୟ ହୋଇ ଅନୁରାଗ ଠାକୁର କାର୍‌ରୁ ଓହ୍ଲାଇପଡ଼ି ଅନ୍ୟ ଲୋକମାନଙ୍କ ସହିତ ମିଶି ଅଚଳ ବସ୍‌ଟିକୁ ଠେଲିବା ସହିତ ବସ୍‌ର ଚାଳକ ଓ ଯାତ୍ରୀମାନଙ୍କୁ ଭଲମନ୍ଦ ପଚାରି ବୁଝିଥିଲେ। ଅଚଳ ବସ୍‌ଟି ପୁଣି ଚାଲିବା ପରେ ଠାକୁର ଅନ୍ୟନ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରିଥିଲେ।

ନିର୍ବାଚନୀ ରାଲିରେ ଠାକୁର କହିଛନ୍ତି ଯେ, ପରବର୍ତ୍ତୀ ‘ବ‌ିଜେପି’ ସରକାର ୫ ବର୍ଷ ମଧ୍ୟରେ ହିମାଚଳ ପ୍ରଦେଶର ପ୍ରତ୍ୟେକ ଗ୍ରାମକୁ ‌‘ମେଟାଲ୍‌ ‌ରୋଡ୍‌’ଦ୍ବାରା ସଂଯୋଗ କରାଯିବ।

ରାଜ୍ୟରେ ଥିବା ତୀର୍ଥସ୍ଥାନ ଓ ମନ୍ଦିରଗୁଡ଼ିକ ନିକଟରେ ଥିବା ଭିତ୍ତିଭୂମି ଓ ପରିବହନ ବ୍ୟବସ୍ଥାର ଉନ୍ନତି ନିମନ୍ତେ ଆଗାମୀ ୧୦ ବର୍ଷ ମଧ୍ୟରେ ୧୨୦୦୦ କୋଟି ଟଙ୍କା ବ୍ୟୟ କରାଯିବ।

ସୂଚନାଯୋଗ୍ୟ, ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିମନ୍ତେ ଭୋଟ୍‌ ଗ୍ରହଣ କରାଯିବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ୍‌ ଗଣନା କରାଯିବ।

ସମ୍ବନ୍ଧିତ ଖବର