ପୂର୍ବରୁ ସହ-ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା କେନ୍ଦ୍ରମନ୍ତ୍ରୀ ଏବେ ବଞ୍ଚାଇଲେ ଫଟୋଗ୍ରାଫରଙ୍କ ଜୀବନ, ଭିଡିଓରେ ଦେଖନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ: ବାରମ୍ବାର ଲୋକଙ୍କ ଜୀବନ ବଞ୍ଚାଇ ଲୋକପ୍ରିୟ ହେବାରେ ଲାଗିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କିଷନରାଓ କରାଡ। ପୂର୍ବରୁ ବିମାନରେ ଯାତ୍ରା କରିବା ପରେ ହଠାତ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ଜୀବନ ବଞ୍ଚାଇଥିଲେ କେନ୍ଦ୍ରମନ୍ତ୍ରୀ କରାଡ। ରାଜନେତା ହେବା ସହ ପୂର୍ବରୁ ସେ ଜଣେ ସର୍ଜନ ଥିବାରୁ ଏବେ ସେ ରାଜନୀତି ସହ ଲୋକଙ୍କ ‌ସେବା କରିପାରୁଥିବା ଦେଖାଯାଇଛି।

ଏବେ ପୁଣି ଥରେ ସେ ଜଣେ ଫଟୋଗ୍ରାଫରଙ୍କ ଜୀବନ ବଞ୍ଚାଇଥିବା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦିଲ୍ଲୀରେ ଥିବା ତାଜ୍ ମାନସିଂହ ହୋଟେଲରେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କିଷନରାଓ କରାଡ। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖୁଥିବା ବେଳେ ଏହି ଇଭେଣ୍ଟକୁ ଆସିଥିବା ଜଣେ ଫଟୋଗ୍ରାଫର ହଠାତ ଅଚେତ ହୋଇ ତଳେ ପଡ଼ିଯାଇଥିଲା। ଏହା ଦେଖି କରାଡ ତୁରନ୍ତ ଫଟୋଗ୍ରାଫରଙ୍କ ପାଖକୁ ଆସି ତାଙ୍କର ପଲ୍ସ ଚେକ୍ କରିଥିଲେ। ପରେ ପଲ୍ସ ରେଟ କମିଥିବା ଜାଣି ସେ ନିଜ ସହଯୋଗୀଙ୍କୁ ଫଟୋଗ୍ରାଫରଙ୍କ ଗୋଡ଼ ଉପରକୁ କରି ପାଦ ଚିପିବାକୁ କହିଥିଲେ। କିଛି ସମୟ ଏଭଳି କରିବା ପରେ ଫଟୋଗ୍ରାଫରଙ୍କ ପଲ୍ସ ରେଟ ଠିକ ହୋଇଥିଲା ଏବଂ ତାଙ୍କ ଚେତା ଫେରିଥିଲା।

କେନ୍ଦ୍ରମନ୍ତ୍ରୀ କରାଡଙ୍କ ଏହି କାମର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଲୋକେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର