‘ଦରିଦ୍ର ନିଆଁ’ ଆବୃତ୍ତି କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

ଅଗଷ୍ଟ ୧୭ ପର୍ଯ୍ୟନ୍ତ ଚାଲିବ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଦେଶରେ ସ୍ବାଧୀନତା ଆନ୍ଦୋଳନ ବେଳେ ଯେଉଁ କବିତାଗୁଡ଼ିକ ଉପରେ ବ୍ରିଟିଶ ସରକାର ପ୍ରତିବନ୍ଧକ ଲଗାଇଥିଲେ ସେଗୁଡ଼ିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପ୍ରୟାସ କରିଛି। ୧୯୪୭ ମସିହା ପୂର୍ବରୁ ଓଡ଼ିଆ, ବଙ୍ଗଳା, ଗୁଜରାଟୀ, ହିନ୍ଦୀ, କନ୍ନଡ, ମରାଠୀ, ପଞ୍ଜାବୀ, ସିନ୍ଧୀ, ତାମିଲ, ‌ତେଲଗୁ ଏବଂ ଉର୍ଦୁ ଭାଷାରେ ‌ଲିଖିତ ବହୁ କବିତା ଉପରେ ବ୍ରିଟିସ ଶାସକ ପ୍ରତିବନ୍ଧ ଲଗାଇଥିଲେ। ସ୍ବାଧୀନତା ଆନ୍ଦୋଳନ ସମୟରେ ପ୍ରତିବନ୍ଧ ଲଗାଯାଇଥିବା କବିତାଗୁଡ଼ିକୁ ଲୋକପ୍ରିୟ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ନଅ ଜଣ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଭାଷ‌ାରେ ଆବୃତ୍ତି କରିଛନ୍ତି। ଆଜାଦୀ କା ଅମୃତ ମ ହୋତ୍ସବ ୱେବସାଇଟ୍‌ର ସ୍ବତନ୍ତ୍ର ସ୍ବର ବିଭାଗରେ କେନ୍ଦ୍ରମନ୍ତ୍ରୀମାନଙ୍କ ଦ୍ବାରା କବିତାଗୁଡ଼ିକର ଆବୃତ୍ତି କରାଯାଇଥିବା ଭିଡିଓକୁ ଅପଲୋଡ୍‌ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ କବି ଗଙ୍ଗାଧର ମିଶ୍ରଙ୍କ ଦ୍ବାରା ଲିଖିତ କବିତା ‘ଦରିଦ୍ର ନିଆଁ’କୁ ଆବୃତ୍ତି କରିଥିବାବେଳେ ତେଲୁଗୁ ଭାଷାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡି, ଗୁଜରାଟି ଭାଷାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ, କନ୍ନଡ ଭାଷାରେ କେନ୍ଦ୍ର ଖଣି ଓ ‌କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ହିନ୍ଦୀ ଭାଷାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କବିତା ଆବୃତ୍ତି କରିଛନ୍ତି।

କେନ୍ଦ୍ର ସରକାର ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ସମଗ୍ର ଦେଶରେ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶରେ ୨୦ କୋଟି ଲୋକଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅଗଷ୍ଟ ୧୧ ରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟ‌ରେ ଦେଶଭକ୍ତିର ଭାବନାକୁ ଜାଗ୍ରତ କରିବା ତଥା ସ୍ବାଧୀନତା ସଂଗ୍ରାମର ଅଖ୍ୟାତ ନାୟକ (ଅନସଙ୍ଗ୍ ହିରୋ)ମାନଙ୍କ ସମ୍ପର୍କରେ ଅବଗତ କରାଇବା। ଏହି ଅଭିଯାନରେ ତ୍ରିରଙ୍ଗା ଲୋକମାନଙ୍କୁ ମାଗଣାରେ ଦେବା ବଦଳରେ ତାହାକୁ କ୍ରୟ କରିବ‌ା ଉପରେ ଜୋର ଦିଆଯିବ। ଯାହା ଦ୍ବାରା ଲୋକମାନେ ଏହାର ଗୁରୁତ୍ବକୁ ହୃଦ୍‌ବୋଧ କରିପାରିବେ।

ତ୍ରିରଙ୍ଗାକୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପାଖରୁ କିଣିବା ପ‌ାଇଁ ପ୍ରୋତ୍ସାହିତ କରାଯିବ। ଯାହା ଦ୍ବାରା ସେମାନଙ୍କୁ ଆର୍ଥିକ ଲାଭ ମିଳିବ। କେନ୍ଦ୍ର ସରକାର ଚଳିତ ମାସରୁ ବିଭିନ୍ନ ପ୍ଲାଟଫର୍ମ ଜରିଆରେ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ ପାଇଁ ପ୍ରେରଣା ଦିଆଯିବ। ହର୍ ଘର୍ ତ୍ରିରଙ୍ଗା କ‌ାର୍ଯ୍ୟକ୍ରମର ସଫଳ କ୍ରିୟାନ୍ବୟନ ପାଇଁ କେନ୍ଦ୍ର ସରକାର ନିଜର ସମସ୍ତ କାର୍ଯ୍ୟାଳୟ, ସେନା ଯବାନ, ଏସ୍‌ଏଚ୍‌ଜି, ଶିକ୍ଷଣ ସଂସ୍ଥାନ, ପଂଚାୟତିରାଜ ସଂସ୍ଥା, କର୍ପୋରେଟ୍‌ ଓ ଘରୋଇ ସଂସ୍ଥାଗୁଡ଼ିକର ସହାୟତା ନେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥି ସହିତ କେନ୍ଦ୍ର ସରକାର ଏହି କାର୍ଯ୍ୟ ପାଇଁ କ‌ର୍ପୋରେଟ୍‌ ସଂସ୍ଥାମାନଙ୍କ ପାଖରୁ ସେମାନଙ୍କ ସିଏସ୍‌ଆର୍‌ ପାଣ୍ଠିରୁ କାର୍ଯ୍ୟକ୍ରମ ପାଇଁ ପାଣ୍ଠି ବିନିଯୋଗ କରିବା ପାଇଁ ସରକାର ଅପିଲ କରିବେ।

ସମ୍ବନ୍ଧିତ ଖବର