ନୂଆଦିଲ୍ଲୀ : ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଇଣ୍ଡିଆନ ଅଏଲ ଦ୍ୱାରା ବିକଶିତ ଦେଶର ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଇଣ୍ଡିଆନ ଅଏଲ ପକ୍ଷରୁ ‘ଏକ୍ସପି ୧୦୦’’ ନାମରେ ବ୍ରାଣ୍ଡିଂ କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଧୀରେଧୀରେ ସ୍ୱଦେଶୀ ଜ୍ଞାନକୌଶଳର ମହତ୍ୱ ବଢ଼ୁଛି । ଇଣ୍ଡିଆନ ଅଏଲ ଗବେଷଣା ଏବଂ ବିକାଶ(ଆର ଏବଂ ଡ଼ି) ପକ୍ଷରୁ ନୂଆ ଜ୍ଞାନକୌଶଳର ବିକଶିତ କରାଯାଇ ଦେଶର ଏହି ସର୍ବକୃଷ୍ଟ ତୈଳ ଆଜି ଠାରୁ ବଜାରରେ ବିକ୍ରି କରାଯିବାର କାମ ଆରମ୍ଭ ହେବା ଗର୍ବର ବିଷୟ। ପ୍ରିମିୟମ ଯାନ ମାନଙ୍କରେ ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ । ଇଣ୍ଡିଆନ ଅଏଲର ଏହି ପଦକ୍ଷେପକୁ ପ୍ରଂଶସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଟି ସହର ଯଥା ଦିଲ୍ଲୀ, ଗୁଡଗାଁଓ, ନୋଏଡ଼ା, ଆଗ୍ରା, ଜୟପୁର, ଚଣ୍ଡିଗଡ଼, ଲୁଧିଆନା, ମୁମ୍ବାଇ, ପୁଣେ, ଅହମ୍ମଦବାଦରେ ଏହି ହାଇଗ୍ରେଡ୍ ଯୁକ୍ତ ତୈଳ ଇନ୍ଧନକୁ ଉପଲବ୍ଧ କରାଯାଇଛି ।