ଓଡ଼ିଶାରେ ଗ୍ରିନଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦାବି

କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି

ଭୁବନେଶ୍ୱର: ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରିନଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ନିକଟରେ ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଦେଶରେ ପିଏମ ମେଗା ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ରିଜିଓନ ଏଣ୍ଡ୍ ଆପାରେଲ(ମିତ୍ର) ଯୋଜନାରେ ୭ଟି ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି। ପିପିପି ମୋଡରେ ଭାରତୀୟ କମ୍ପାନିମାନଙ୍କୁ ବୟନ ଏବଂ କପଡ଼ା ଶିଳ୍ପ କ୍ଷେତ୍ରରେ ବିଶ୍ୱ ଚାମ୍ପିଅନରେ ପରିଣତ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ଏକ ସ୍ପେଶାଲ ପ୍ରପୋଜ ଭେଇକିଲ୍ ବିକଶିତ କରାଯାଉଛି। ପ୍ରସ୍ତାବିତ ଗ୍ରିନ୍ ଫିଲ୍ଡ ମିତ୍ର ପାର୍କ ପ୍ରତିଷ୍ଠା ହେଲେ ବୟନଶିଳ୍ପ ସହ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ହୋଇପାରିବ। ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ପୂର୍ବୋଦୟ ମିଶନ” କଳ୍ପନା ବହୁମାତ୍ରାରେ ସାକାର ହୋଇପାରିବ। ବୟନ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଦୀର୍ଘ ଏବଂ ସମୃଦ୍ଧ ଇତିହାସ ରହିଛି। ଓଡ଼ିଶାର ହସ୍ତତନ୍ତ ଉଚ୍ଚକୋଟୀର ଡିଜାଇନ୍ ଏବଂ ଗୁଣବତା ପାଇଁ ବିଶ୍ୱ ବିଖ୍ୟାତ। ସମ୍ବଲପୁରୀ, ବୋମକେଇ ଏବଂ ବ୍ରହ୍ମପୁରୀ ଭଳି ଅନେକ ଡିଜାଇନ୍ ଏଠାରେ ରହିଥିବା ବେଳେ ଇକତ୍ ପାଇଁ ମଧ୍ୟ ପ୍ରସିଦ୍ଧ ଲାଭ କରିଛି।

ନିଜର ସମୃଦ୍ଧ ଇତିହାସଏବଂ ଆଞ୍ଚଳିକ ସମ୍ପନ୍ନତା ଯୋଗୁଁ ଓଡ଼ିଶା ବୟନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଅନେକ ସୁଯୋଗ ରହିଛି। ନିକଟ ଅତୀତରେ ଓଡ଼ିଶା ସିପେଟ୍, ଆଇଆଇଟି, ଆଇଆଇଏମ, ନିଟ୍, ଆଇଆଇଆଇଟି, ଏମ୍ସ, ନାଇଜର, ଦକ୍ଷତା ବିକାଶ କେନ୍ଦ୍ର, ଇଣ୍ଡିଆନ ଅଏଲ- ଆଇସିଟି ଓଡ଼ିଶା କ୍ୟାମ୍ପସ ଭଳି ବିଶ୍ୱସ୍ତରୀୟ ଉଚ୍ଚ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ଓଡ଼ିଶା ଜ୍ଞାନ ଏବଂ ଦକ୍ଷତାର ପେଣ୍ଠସ୍ଥଳୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରତିଷ୍ଠା କରାଯାଇଛି। ଏହା ଦ୍ୱାରା ଶିଳ୍ପ ଚାହିଦା ଆଧାରରେ ଲୋକଙ୍କୁ ପ୍ରଶିକ୍ଷିତ କରିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିକଶିତ କରାଯାଉଛି।

ଭୁବନେଶ୍ୱର ନିକଟ ମଳିପଡ଼ା ଠାରେ ଦୁଇଟି ଟେକ୍ସଟାଇଲ ଏବଂ କପଡ଼ା ପାର୍କ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାସହିତ ଭଦ୍ରକ ଠାରେ ଟେକ୍ନିକାଲ୍ ଟେକ୍ସଟାଇଲ ପାର୍କକୁ ମଧ୍ୟ ବିକଶିତ କରାଯାଉଛି। ଏହି ପାର୍କ ବାର୍ଷିକ ୩୦୦ କିଲୋ ଟନ୍ ବିଶିଷ୍ଟ ଆଇଓସିଏଲ ପଲିଷ୍ଟର ଏବଂ ଫାଇବର ପ୍ଲାଣ୍ଟର ସାହାଯ୍ୟରେ ବାର୍ଷିକ ୧୦୦ କିଲୋ ଟନ୍ ବିଶିଷ୍ଟ ପଲିଷ୍ଟର ଷ୍ଟାପଲ ଫାଇବର, ବାର୍ଷିକ ୧୬୫ କିଲୋ ଟନ୍ ବିଶିଷ୍ଟ ଡ୍ରୋନ୍ ଟେକ୍ସଚରଡ୍ ୟାର୍ନ ଏବଂ ବାର୍ଷିକ ୩୫ କିଲୋ ଟନ ବିଶିଷ୍ଟ ଫୁଲି ଡ୍ରୋନ ୟାର୍ନ ଏହି ପାର୍କ ପାଇଁ ଫିଡ୍ ଷ୍ଟକ୍ ରହିଛି।

ସମ୍ବନ୍ଧିତ ଖବର