ଉନ୍ନତ କୃଷି, ଜ୍ଞାନ ଓ ପର୍ଯ୍ୟଟନ ସହ ଶିଳ୍ପାୟନ ମାଧ୍ୟମରେ ବିକାଶର ପେଣ୍ଠସ୍ଥଳୀ ହେବ ଦେବଗଡ଼: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼ ଜିଲ୍ଲାର ବର୍ତ୍ତମାନ ଓ ଭବିଷ୍ୟତ” ଉପରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ଼: ଉନ୍ନତ ଓ ଅତ୍ୟାଧୁନିକ କୃଷି, ଜ୍ଞାନ, ପର୍ଯ୍ୟଟନ ଓ ଶିଳ୍ପାୟନ ମାଧ୍ୟମରେ ଅପାର ସମ୍ଭାବନାର ଅଞ୍ଚଳ ଦେବଗଡ଼ ବିକାଶର ପେଣ୍ଠସ୍ଥଳୀ ହେବ ବୋଲି ଶନିବାର ଦେବଗଡ଼ରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ବୌଦ୍ଧିକ ଆଲୋଚନା ଚକ୍ରରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେବଗଡ଼ ଜିଲ୍ଲା ବର୍ତ୍ତମାନ ଓ ଭବିଷ୍ୟତ” ଶୀର୍ଷକ ଆଲୋଚନା ଚକ୍ରରେ ମତ ରଖିବା ସହ କେନ୍ଦ୍ରମନ୍ତ୍ରୀ ଦେବଗଡ ଜିଲ୍ଲାରେ ମୋଦି ସରକାରରେ ହୋଇଥିବା ବିକାଶର କାମ କଥା କହିଥିଲେ। ଦେବଗଡରେ ଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଉଦ୍ୟମ କରିବା ପାଇଁ ଆହ୍ୱାନ କରିଥିଲେ। ପରେ ଦେବଗଡର ଭବିଷ୍ୟତ ନେଇ ଆଅନେକ ପରାମର୍ଶ ଦେବା ସହ ନାଗରିକ କମିଟିର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଦେବଗଡ଼ ଜିଲ୍ଲା ହେଉଛି ଅପାର ସମ୍ଭାବନାର ଅଞ୍ଚଳ । ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ଦିଗରେ ଦେବଗଡ଼ର ଭୂମିକା ଅତୁଳନୀୟ । ଏହି ଅଞ୍ଚଳକୁ ଆଗକୁ ନେବାକୁ ହେଲେ ଏଠାରେ ସାଧାରଣ କୃଷି ଓ ଉଦ୍ୟାନ କୃଷିକୁ ଗୁରୁତ୍ୱ ଦେବାକୁ ଦେବ। କୃଷି ପ୍ରଧାନ ଅଞ୍ଚଳ ଦେବଗଡରେ ଆଗାମୀ ଦିନରେ ସମଗ୍ର ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି କୃଷି ସାମଗ୍ରୀ ଉତ୍ପାଦନ କରିବା ପାଇଁ ହେବ। ଚାଷୀଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ନୂଆ ପଦ୍ଧତିରେ ଚାଷ କାର୍ଯ୍ୟ ଶିଖାଇବା ପାଇଁ ହେବ। ଏଠାରେ ଯୁବପିଢିଙ୍କୁ ପର୍ବତ ଆହୋରଣର ତାଲିମ ଦେବା ପାଇଁ କଳ୍ପନା କରିବାକୁ ହେବ। ଏହା ଦ୍ୱାରା ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହୋଇପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଦେବଗଡ଼ର ସର୍ବଙ୍ଗୀନ ବିକାଶ କରିବା ଆମର ଲକ୍ଷ୍ୟ ରହିଛି ବର୍ତ୍ତମାନ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଦେବଗଡକୁ ଜ୍ଞାନ ଆଧାରିତ ଦୁନିଆ ସହ ଯୋଡିବା ପାଇଁ ହେବ। ଲଜିଷ୍ଟିକ ହବ୍ କରିବା ପାଇଁ ଯୋଜନା କରିବାକୁ ପଡିବ। ସମାଜର ଅପେକ୍ଷା ଯୋଜନାବଦ୍ଧ ଭାବରେ ବ୍ୟବସ୍ଥା ପାଖରେ ପହଞ୍ଚାଇଲେ ହିଁ ଦେବଗଡର ଉନ୍ନତି ହେବ। ଏହି ଦାୟିତ୍ୱକୁ ନାଗରିକ କମିଟି ଗୁରୁତ୍ୱର ସହ ନିର୍ବାହ କରିବ। ସମାଜ ସେବେ ଠିକ୍ ହେବ ଯେତେବେଳେ ସମାଜର ଦକ୍ଷ ଲୋକମାନେ ସବୁ ଦିଗ ପ୍ରତି ଦୃଷ୍ଟି ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଦେବଗଡର ସମସ୍ୟା ନେଇ କହିଥିଲେ ଯେ ଦେବଗଡରେ ସ୍ୱାସ୍ଥ୍ୟସେବା ଏକ ପ୍ରକାର ଭୁଶୁଡି ପଡିଛି । ଜିଲ୍ଲାରେ ୨୧୧ଟି ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୩୭ଟି ପଦବି ଖାଲି ପଡିଛି। କେବଳ ୭୪ ଜଣ ଡାକ୍ତରରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଚାଲିଛି। ସେହିପରି ଦେବଗଡରେ ୬ରୁ ୫୯ ମାସର ୬୧.୫ ପ୍ରତିଶତ ଶିଶୁ ରକ୍ତହୀନତାର ଶୀକାର। ୧୮ରୁ ୧୯ ବର୍ଷର ୭୨.୨ ପ୍ରତିଶତ କିଶୋରୀ ରକ୍ତହୀନତାର ଶୀକାର। ଏ ନେଇ ଚିନ୍ତା ପ୍ରକଟ କରିବା ସହ ବିସ୍ଥାପିତଙ୍କ ସମସ୍ୟା, ଭୂମିହୀନଙ୍କୁ ଜମି, ଜଙ୍ଗଲ ଜମିର ଅଧିକାର ଓ ପଟ୍ଟା ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।

ମୋଦି ସରକାର ଦେବଗଡକୁ ଦେଇଥିବା ଅନୁଦାନ ଉପରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଦେବଗଡ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧୮୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୧୪,୭୮୦ଟି ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ଦେବଗଡ଼ର ପ୍ରାୟ ୨. ୬୩ ଲକ୍ଷ ଜଣଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଦେଇ ଖାଦ୍ୟ ସୁନିଶ୍ଚିତ କରାଯାଉଛି। ଦେବଗଡ଼ରେ ଆନୁମାନିକ ୩.୪୦ କୋଟି ଟଙ୍କା ବ୍ୟୟରେ ମୋଟ ୨୧,୨୭୫ ପରିବାରକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି। ଦେବଗଡ଼ରେ ସଡକ ଭିତ୍ତିଭୂମି ମଜଭୂତ୍ ସହ ରେଳକୁ ଯୋଡିବା ଏବଂ ପାଇପ ଯୋଗେ ଇନ୍ଧନ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆଜିର ଆଲୋଚନାରେ ନାଗରିକ କମିଟିର ସଦସ୍ୟମାନେ ଦେବଗଡ଼ ଅଞ୍ଚଳର ବିକାଶ ପାଇଁ ଦେଇଥିବା ପ୍ରତିଟି ପରାମର୍ଶ ଗୁରୁତ୍ୱପୂର୍ଣ୍ଣ କରିବା ସହ ସମସ୍ତଙ୍କୁ କେନ୍ଦ୍ରମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର