ଭୁବନେଶ୍ବର : କୋଭିଡ-୧୯ ପାଇଁ ଦେଶବ୍ୟାପୀ ହୋଇଥିବା ଲକ୍ଡାଉନ୍ ବେଳେ ରକ୍ତଦାନ ଶିବିର ଆୟୋଜନ କରିବା ସହଜ ହେଉନାହିଁ। ମାତ୍ର ଥାଲାସିମିଆ, ସିକିଲସେଲ ଓ ହେ ମୋଫିଲିଆ ଭଳି ରୋଗୀଙ୍କ ପାଇଁ ନିୟମିତ ରକ୍ତର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତିରେ ରକ୍ତଦାନ କରିବା ଲାଗି ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ସ୍ଥାନୀୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ନିବେଦନ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା.ହର୍ଷ ବର୍ଦ୍ଧନ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଚିଠି ଲେଖିଛନ୍ତି।
ଡା.ହର୍ଷ ବର୍ଦ୍ଧନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଇ-ରକ୍ତକୋଷ ୱେବସାଇଟ୍ରେ ରକ୍ତଦାତାଙ୍କ ସଂପର୍କରେ ତଥ୍ୟ ଉଲ୍ଲେଖ କରିବା ସହିତ କେଉଁ ଗ୍ରୁପ୍ର କେତେ ପରିମାଣର ରକ୍ତ ରହିଛି ତାହା ନିୟମିତ ଅପଡେଟ୍ କରାଯିବା ଜରୁରୀ। ଏହି ପୋର୍ଟାଲରେ ରକ୍ତଦାତାଙ୍କ ପଂଜୀକରଣ କରାଯିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ପୋର୍ଟାଲରେ କେଉଁ ରକ୍ତ କେତେ ଉପଲବ୍ଧ ରହିଛି ତାହାର ଅପଡେଟ୍ ହେବା ଆବଶ୍ୟକ। ରକ୍ତ ସଂଗ୍ରହ କରାଯିବା ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ଏକସାଙ୍ଗରେ ବହୁତ ଲୋକ ଯେପରି ରକ୍ତଦାନ ପାଇଁ ନ ଆସିବେ ତାହାକୁ ଧ୍ୟାନରେ ରଖିବା ଜରୁରୀ। ସ୍ବେଚ୍ଛକୃତ ରକ୍ତଦାତାଙ୍କ ଯିବା ଆସିବା ପାଇଁ ପାସ୍ ପ୍ରଦାନ କରିବା ସହିତ ଏଭଳି ଏକ କଠିନ ସମୟରେ ଯେଉଁମାନେ ରକ୍ତଦାନ କରୁଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ସାର୍ଟିଫିକେଟ୍ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଛନ୍ତି। ଏହାସହ ରକ୍ତଦାନ କେନ୍ଦ୍ରରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ଉପରେ ଧ୍ୟାନ ରଖାଯିବା, ରକ୍ତଦାନ କେନ୍ଦ୍ରରେ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ଗ୍ରହଣ କରାଯିବା ସହିତ ହାତ ଧୋଇବା, ଯେଉଁ ଅଞ୍ଚଳକୁ ରକ୍ତଦାତା ଛୁଇଁଥିବେ ତାହାକୁ ସଫା କରିବା ଭଳି ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ସେ ଗୁରୁତ୍ବ୍ ଆରୋପ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ଆଇରନ୍ ଚିଲେଟିଂ ଏଜେଣ୍ଟସ୍ ସହିତ ଆଣ୍ଟି ହିମୋଫୋଲିଆ ଫ୍ୟାକ୍ଟର ଯେଭଳି ଉପଲବ୍ଧ ହୋଇପାରିବ ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/harshbjp_1556882478_618x347.jpeg)