ଇସ୍ରୋକୁ ସହାୟତା ନିମିତ୍ତ ନୂଆ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ

ନୂଆଦିଲ୍ଲୀ: ଇସ୍ରୋର ଗବେଷଣା କ୍ଷେତ୍ରକୁ ସହାୟତା କରିବା ନିମିତ୍ତ ଦେଶରେ ନୂଆ ନୂଆ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ବୋଲି କେନ୍ଦ୍ର ଆଣବିକ ଶକ୍ତି ଏବଂ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରକାଶ କରିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡ. ସିଂହ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି ଯେ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ, ଇସ୍ରୋ ୨୦୨୨ ମସିହାରେ ମହାକାଶ ଗବେଷଣା କ୍ଷେତ୍ରରେ କେତେକ ନୂଆ ପଦକ୍ଷେପ ନେବାକୁ ଯାଉଛି । ସେଗୁଡିକୁ ମଧ୍ୟରେ ରହିଛି – ବ୍ୟବସାୟିକ ଉଦ୍ଦେଶ୍ୟରେ ଗୋଟିଏ ଏବଂ ଭୂପୃଷ୍ଠ ନିରୀକ୍ଷଣ ଉଦ୍ଦେଶ୍ୟରେ ଗୋଟିଏ ପିଏସଏଲଭି ମହାକାଶକୁ ପଠାଯିବା, ଦୁଇଟି କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି, ଗୋଟିଏ ଜିଏସଏଲଭି ଉପଗ୍ରହ ରକେଟ ପସ୍ତୁତି ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ ଜି-ସାଟ ୨୪ ଉପଗ୍ରହ ଉତକ୍ଷେପଣ ରକେଟ ପ୍ରସ୍ତୁତି । ଅନ୍ୟ ଏକ ଉପଗ୍ରହ ଉତକ୍ଷେପଣ ରକେଟ ଜିଏସଏଲଭି-ଏମକେ ୩ ମଧ୍ୟ ସ୍ୱତନ୍ତ୍ର ଭାବରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯିବ । ଏଥିପାଇଁ ବର୍ତ୍ତମାନ ରହିଥିବା ମହାକାଶ ଗବେଷଣା ଇନକ୍ୟୁବେସନ କେନ୍ଦ୍ର ଏବଂ ଆଞ୍ଚଳିକ ଏକାଡେମିଆ କେନ୍ଦ୍ରକୁ ବର୍ଷକୁ ସର୍ବାଧିକ ୨ କୋଟି ଲେଖାଏଁ ଟଙ୍କା ପୂର୍ବ ପ୍ରଚଳିତ ନୀତିନିୟମ ଭିତ୍ତିରେ ଦିଆଯିବ ।

Photo Courtesy: Loksabha TV

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ବୈଦେଶିକ ସଂସ୍ଥାମାନଙ୍କର ସହଯୋଗ ଭିତ୍ତିକ ପ୍ରକଳ୍ପ ପାଇଁ ସରକାର ଆଗ୍ରହୀ ଅଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଭାରତୀୟ ମହାକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା, ଭୂପୃଷ୍ଠ ନିରୀକ୍ଷଣ କାର୍ଯ୍ୟକ୍ରମ, ଭୂପୃଷ୍ଠ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଉପରେ ମିଳିତ ଗବେଷଣା ନିମିତ୍ତ ସରକାର ଆଗ୍ରହ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂଗଠନ ଯୁକ୍ତରାଷ୍ଟ୍ର ଆମେରିକାର ନାସା ସଂଗଠନ ସହିତ ମିଶି “ନାସା-ଇସ୍ରୋ ସିନ୍ଥେଟିକ ଆପାରେଟର ରାଡାର” ନାମରେ ଭୂପୃଷ୍ଠର ବିଜ୍ଞାନ ଭିତ୍ତିକ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ସମ୍ବନ୍ଧିତ ଖବର