ନୂଆଦିଲ୍ଲୀ: କୁଆଡ଼େ ଗଲେ କେନ୍ଦ୍ରମନ୍ତ୍ରୀ ? ଏଇଠି ତ ବସିଥିଲେ... ହଠାତ୍ କୁଆଡେ ଗଲେ... ? ସିଟ୍ ଖାଲି, ବର୍ଥ ଖାଲି, କୋଚ୍ ବି ଖାଲି... କେଉଁଆଡ଼େ ଗାଏବ ହୋଇଗଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ? କେନ୍ଦ୍ରମନ୍ତ୍ରୀଙ୍କ ହଠାତ୍ ଅନ୍ତର୍ଦ୍ଧାନ ହେବାର କାରଣ କଣ ? କେହି କେନ୍ଦ୍ରମନ୍ତ୍ରୀଙ୍କୁ ଅପହରଣ କରି ନେଲା କି ? ଏହି ଆଶଙ୍କାରେ ଆରମ୍ଭ ହେଲା ଅପରେସନ । ରେଳ କର୍ମଚାରୀ ଆରମ୍ଭ କରିଦେଲେ ଖୋଜାଖୋଜି... ଘଣ୍ଟେ କି ୨ ଘଣ୍ଟା ନୁହେଁ... ପାଖାପାଖି ୩ ଘଣ୍ଟା ଖୋଜାଖୋଜି ପରେ ୧୬୨ କିଲୋମିଟର ଦୂରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଆହତ ଅବସ୍ଥାରେ ପାଇଲେ... ହେଲେ କାହିଁକି କେନ୍ଦ୍ରମନ୍ତ୍ରୀଙ୍କ ଗୋଡ ହାତ ଖଣ୍ଡିଆ ହୋଇଥିଲା ଆଉ ସେ ହଠାତ୍ କାହିଁକି ଟ୍ରେନରୁ ଗାଏବ ହୋଇଯାଇଥିଲେ ? ଜାଣନ୍ତୁ କାରଣ...
ତେବେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାଏବ ହୋଇଗଲେ । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବା ପରେ ଦୀର୍ଘ ୩ ଘଣ୍ଟାର ଖୋଜାଖୋଜି ପରେ ତାଙ୍କୁ ସିହୋରା ଷ୍ଟେସନରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ବସିଥିବା ଦେଖିବାକୁ ପାଇଥିଲେ ଆଉ କେନ୍ଦ୍ରମନ୍ତ୍ରୀଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା ।
ଶନିବାର ହଜରତ ନିଜାମୁଦ୍ଦିନ୍ ଷ୍ଟେସନରୁ ଟ୍ରେନରେ ବସିଥିବା ମନ୍ତ୍ରୀଙ୍କ ବର୍ଥ ରବିବାର ଦମୋହ ଠାରେ ଖାଲି ଦେଖିବାକୁ ମିଳିଥିଲେ ହେଁ ୩ ଘଣ୍ଟାର ଖୋଜାଖୋଜି ପରେ ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ଖୋଜି ପାଇଥିଲେ ରେଲୱେ କର୍ମଚାରୀ ଆଇ କେନ୍ଦ୍ରମନ୍ତ୍ରୀ ସଂପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ ନମ୍ବର ବି-୩ ରେ ବର୍ଥ ନମ୍ବର ୫୭ ରେ ବସିଥିଲେ ।
ପାଦ ଖସିବାରୁ ଆହତ
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ବ୍ଲଡ ସୁଗାରର ସ୍ତର କମି ଯାଇଥିଲା, ଯେଉଁଥିପାଇଁ ସେ ଚଳନ୍ତା ଟ୍ରେନରେ ଚଢୁ ଚଢୁ ପଡି ଯାଇଥିଲେ । ପାଦ ଖସିଯିବାରୁ ତାଙ୍କ ହାତଗୋଡ଼ରେ ଆଘାତ ଲାଗିଥିଲା ଏବଂ ଖଣ୍ଡିଆ ହୋଇଯାଇଥିଲେ । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ଜୁଏଲ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ ।
ଜବଲପୁରରେ ଜୁଏଲଙ୍କ ଚିକିତ୍ସା
କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପିଏଙ୍କ କହିବାନୁସାରେ ସେ ହରଦୁଆରୁ ଟ୍ରେନରେ ଦେଖିବାକୁ ମିଳିନଥିଲେ । କିନ୍ତୁ ପରେ ଜଣାପଡିଲା ଯେ ଟ୍ରେନ୍ ସେଠାରେ ଅଟକି ହିଁ ନଥିଲା । କିନ୍ତୁ ସକାଳ ୬.୫୫ ସମୟରେ କେନ୍ଦ୍ରମନ୍ତ୍ରୀ ସିହୋରା ଷ୍ଟେସନରେ ମିଳିଥିଲେ । ଯେହେତୁ ମନ୍ତ୍ରୀ ଆହତ ଅବସ୍ଥାରେ ମିଳିଥିଲେ ତେଣୁ ତାଙ୍କୁ ପ୍ରଥମେ ପ୍ରାଥମିକ ଚିକିତ୍ସା ଦିଆଗଲା ଏବଂ ପରେ ଜବଲପୁର ଅଣାଗଲା ।